ଭୋକର ଭୂଗୋଳ ! ସହାୟତା ନମିଳିଲେ ମରିଯିବେ ଦେଶର ୪ଲକ୍ଷ ଶିଶୁ ।

58

ଏମତି ବି ଦେଶ । ଯେଉଁଠି ଅପପୃଷ୍ଟିର ଶିକାର ୪ଲକ୍ଷରୁ ଅଧିକ ଶିଶୁ । ପ୍ରତି ମିନିଟରେ ଜୀବନ ବଂଚାଇବା ପାଇଁ କରୁଛନ୍ତି ସଂଗ୍ରାମ । କିନ୍ତୁ ଜାଣିନାହାନ୍ତି କ’ଣ ହେବ ସେମାନଙ୍କ ଭବିଷ୍ୟତ । କିଛି ବୁଝିବା ଆଗରୁ ସେମାନେ ଚାଲିଯାଇପାରନ୍ତି ଅଫେରା ରାଇଜକୁ । ଆଉ ଯିଏ ଯେତେ ଚେଷ୍ଟା କଲେ ବି ସେମାନଙ୍କୁ ଫେରାଇ ଆଣିପାରିବେ ନାହିଁ ।

ସଂକଟରେ ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ । ଦେଶର ୪ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ସଂକଟରେ । ସାହାଯ୍ୟ ନ ମିଳିଲେ କେଉଁ ମୁହୂର୍ତ୍ତରେ କ’ଣ ହେବ କହିହେବ ନାହିଁ । ଏକଥା ଆମେ କହୁ ନାହୁଁ ଜାତିସଂଘ ଚେତାଇ ଦେଇଛି । ଗମ୍ଭୀର ସ୍ଥିତିରେ ରହୁଛନ୍ତି ଦେଶର ଅନେକ ଭବିଷ୍ୟତର ନାଗରିକ । ଚାରି ଲକ୍ଷରୁ ଅଧିକ ଶିଶୁ ଅପପୃଷ୍ଟି ରୋଗରେ ଆକ୍ରାନ୍ତ ।

ଯଦି ତୁରନ୍ତ ହସ୍ତକ୍ଷେପ ନକରାଯାଏ ତେବେ ଆଗାମୀ କିଛି ଦିନ ମଧ୍ୟରେ ଅକାଳରେ ମୃତ୍ୟୁବରଣ କରିବେ ଏହି ଶିଶୁମାନେ । ରାତି ପାହିଲେ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଖାଇବା ପାଇଁ ପିଜା, କେକ ଭଳି ସୁସ୍ୱାଦୁ ଖାଦ୍ୟଦେଉଥିବା ବେଳେ ଚାରି ଲକ୍ଷ ଶିଶୁ ନିଜ ଜୀବନ ବଂଚାଇବା ପାଇଁ ଦି’ ମୁଠା ଖାଇବାକୁ ପାଉନାହାନ୍ତି । ଆଉ ଭୋକିଲା ପେଟେରେ ବଂଚିବା ପାଇଁ କରୁଛନ୍ତି ସଂଗ୍ରାମ ।

ଜାତିସଂଘର ଶିଶୁ ପାଣ୍ଠି ବା ୟୁନିସେଫ କହିଛି ମଧ୍ୟ ଆଫ୍ରିକାର ଦେଶରେ ଏହି ସମସ୍ୟା ଦିନକୁ ଦିନ ଉକ୍ରଟ ରୂପ ନେବାରେ ଲାଗିଛି । ୟୁନିସେଫ କହିଛି ଗତ ୧୮ ମାସ ଧରି ହିଂସାରେ ପ୍ରଭାବିତ ହୋଇଛନ୍ତି ଏହି ଶିଶୁମାନେ । ବିସ୍ଥାପନ ଓ କୃଷି ଉତ୍ପାଦନ ହ୍ରାସ ଯୋଗୁ ଶିଶୁମାନଙ୍କ ଅବସ୍ଥା ଜଟିଳ ହେବାକୁ ଲାଗିଛି । କ୍ରମାଗତ ହିଂସାର ପ୍ରଭାବ ଯୋଗୁ ଶିଶୁମାନେ ଅପପୃଷ୍ଟିର ଶିକାର ହେଉଛନ୍ତି ।

ୟୁନିସେଫ ସତର୍କକରାଇ କହିଛି, ପାଂଚ ବର୍ଷରୁ କମ ୪ଲକ୍ଷ ଶିଶୁ ସାଂଘାତିକ ଅପପୃଷ୍ଟି ରୋଗରେ ଆକ୍ରାନ୍ତ । ଯଦି ସେମାନଙ୍କ ଜୀବନ ବଂଚାଇବା ପାଇଁ ତୁରନ୍ତ କୌଣସି ଠୋସ ପଦକ୍ଷେପ ନିଆନଯାଏ,ତେବେ ୨୦୧୮ ସୁଦ୍ଧା ସମସ୍ତ ଶିଶୁ ମରିଯିବେ ।

ସୌଜନ୍ୟ : ନ୍ୟୁଜ ୧୮