ଟ୍ରେନରେ କଟିଗଲେ ଗଜରାଜ ! ଝାରୁସୁଗୁଡାର ବାଗଡିହି ରେଞ୍ଜରେ ବଡ ଅଘଟଣ, ରେଳଧାରଣା ପାର ହେଉଥିବାବେଳେ ଟ୍ରେନ ଧକ୍କାରେ ୪ ହାତୀ ମୃତ

81

କନକ ବ୍ୟୁରୋ : ଝାରୁସୁଗୁଡା ଜିଲ୍ଲା ବାଗଡିହି ରେଞ୍ଜ ତେଲ୍ଡିହି ଓ ଅଗରିଆ ବାଗଡିହି ରେଳଧାରଣାରେ କଟି ୪ଟି ହାତୀ ପ୍ରାଣ ହରାଇଛନ୍ତି । ଭୋର ୪ଟାରେ ଏହି ଦୁର୍ଘଟଣା ହୋଇଛି । ମୃତ ୪ଟି ହାତୀ ମଧ୍ୟରେ ୨ଟି ଛୁଆ ଓ ୨ଟି ବଡ ହାତୀ ଅଛନ୍ତି । ଏହି ହାତୀ ରେଳଧାରଣା ପାର କରୁଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାଗଡିହି ରେଞ୍ଜ ଅଧିକାରୀ ଓ କର୍ମଚାରୀ ପହଂଚିଛନ୍ତି । ମୃତଦେହଗୁଡିକୁ ରେଳଧାରଣାରୁ ବାହାର କରିବା ପରେ ସଂପୃକ୍ତ ରୁଟରେ ରେଳଚଳାଚଳ ସ୍ୱାଭାବିକ ହୋଇଛି । ପ୍ରଶ୍ନ ଉଠୁଛି , ଏଥିପାଇଁ ଦାୟୀ କିଏ । ସଂପୃକ୍ତ ଅଚଂଳରେ ହାତୀ ଯିବାଆସିବା କରୁଥିବାବେଳେ ଏ ନେଇ ସତର୍କ ନଥିଲେ କି ରେଳ କର୍ତୃପକ୍ଷ ।

ସୂଚନାଯୋଗ୍ୟ ଯେ ଗତ ୨୦୧୨ ମସିହାରେ ମଧ୍ୟ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନରେ କଟି ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ଟ୍ରେନ୍ରେ ଯେମିତି ହାତୀ କଟି ମୃତ୍ୟୁ ବରଣ ନ କରନ୍ତି ସେଥିପାଇଁ ରେଳବାଇ ଓ ବନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଥିଲା। ଏହା ସତ୍ତ୍ୱେ ଟ୍ରେନରେ କଟି ୪ଟି ହାତୀଙ୍କର ମୃତ୍ୟୁ ଘଟିବା ଘଟଣା ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ସୃଷ୍ଟି କରିଛି।

ଏହି ସମୟରେ ହାଓ୍ଵଡ଼ା- ମୁମ୍ବାଇ ଏକ୍ସପ୍ରେସ ଓ କେତୋଟି ମାଲଗାଡ଼ି ଏହି ରେଲଲାଇନ ଦେଇ ଅତିକ୍ରମ କରିଛି। ମାତ୍ର କୌଣସି ଟ୍ରେନ୍ ହାତୀ କଟିଥିବା ନେଇ ନିକଟସ୍ଥ ଷ୍ଟେସନରେ ରିପୋର୍ଟ କରି ନ ଥିବା ଜଣାଯାଇଛି। ଖବର ପାଇ ବରିଷ୍ଟ ବନ ଅଧିକାରୀ ଓ ରେଳବାଇର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।