ଜଳ ନେଲା ଜୀବନ ! କୋଲାବ ଜଳଭଣ୍ଡାରରେ ବୁଡି ପ୍ରାଣ ହରାଇଲେ ୪ ଶିଶୁ

28

କନକ ବ୍ୟୁରୋ : କୋରାପୁଟ୍ ଜିଲ୍ଲା ଲମତାପୁଟ ବ୍ଲକରେ ଅଭାବନୀୟ ଘଟଣା ଘଟିଛି । କୋଲାବ ଜଳଭଣ୍ଡାରରେ ବୁଡି ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ମୃତକ ମାନେ ହେଲେ କୁମ୍ଭାରଗନ୍ଧଣା ପଂଚାୟତ ପରଜାଖୁଡୁବି ଗାଁର ୨ ବର୍ଷର ଶିଶୁ ସୁଶାନ୍ତ ଭୋଇ, ୯ ବର୍ଷର ଝିଅ ଲଷ୍ମୀ ଭୋଇ, ୮ ବର୍ଷର ସବିତା ମାଝି ଏବଂ ସଂଜୟ ଭୋଇ ।

ଖବର ଅନୁସାରେ, ସୋମବାର ସକାଳେ ବାପା-ମାଆଙ୍କ ସହ ଜମିକୁ ଯାଇଥିଲେ ୪ ଜଣ ଯାକ ଶିଶୁ । ଅପରାହ୍ନରେ କାମ ସରିବା ପରେ ନିକଟରେ ଥିବା କୋଲାବ ଜଳଭଣ୍ଡାରକୁ ଯାଇଥିଲେ । ପ୍ରଥମେ ଗୋଡ ଖସି ସୁଶାନ୍ତ ପାଣିରେ ବୁଡିଯାଇଥିଲା । ଭାଇକୁ ବଂଚାଇବାକୁ ଯାଇ ଭଉଣୀ ଲଷ୍ମୀ ବୁଡିଯାଇଥିଲା । ଆଉ ଏମାନଙ୍କୁ ବଂଚାଇବାକୁ ଯାଇ ପଛକୁ ପଛ ସବିତା ଓ ସଂଜୟ ବୁଡିଯାଇଥିଲେ । ଗାଁଲୋକ ଘଟଣା ଜାଣିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସେତେବେଳକୁ ସମସ୍ତ ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।