କ୍ରେଜିୱାଲଙ୍କ ଧାରଣାକୁ ସମର୍ଥନ ପାଇଁ ଦିଲ୍ଲୀରେ ପହଞ୍ଚିଲେ ୪ ମୁଖ୍ୟମନ୍ତ୍ରୀ! ଥାର୍ଡ଼ ଫ୍ରଣ୍ଟ ପାଇଁ ଫିଟୁଛି ବାଟ

34

କେଜରିୱାଲଙ୍କୁ ୪ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗତ ସାତ ଦିନ ଧରି ଚାଲିଥିବା ଧାରଣାକୁ ସମର୍ଥନ କରିଛନ୍ତି ଦେଶର ୪ ଜଣ ମୁଖ୍ୟମନ୍ତ୍ରୀ । ଅରବିନ୍ଦଙ୍କୁ ସମର୍ଥନ ଜଣାଇ ଶନିବାର ଦିଲ୍ଲୀରେ ପହଂଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ । ଏହି ନେତାମାନେ ଉପରାଜ୍ୟପାଳଙ୍କ ପ୍ରତୀକ୍ଷାଳୟରେ ଧାରଣାରେ ବସିଥିବା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଭେଟିବାକୁ ଚାହିଁ ଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳି ନଥିଲା । ଏପରିକି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିବା ପାଇଁ ଲିଖିତ ଅନୁମତି ମାଗିଥିଲେ ମଧ୍ୟ ଏହା ମିଳିପାରି ନଥିଲା । ଏହି ୪ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାକୁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଦାବି କରିଛନ୍ତି ।

ଦିଲ୍ଲୀରେ ଏବେ ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଛି ବୋଲି କହିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଏହାର ପରିଣାମ ସାଧାରଣ ଲୋକ ହିଁ ଭୋଗୁ ଥିବା ସେ ଅଭିଯୋଗ କରିଛନ୍ତି । ଏହା ସହ ରାଜନୀତିକୁ ନିର୍ବାଚିତ ସରକାର ସହ ନ ଯୋଡିବାକୁ ମମତା ଆହ୍ୱାନ ଦେଇଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଦିଲ୍ଲୀରେ ସୃଷ୍ଟିରେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ୪ ଜଣ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଆସନ୍ତା ୨୦୧୯ ନିର୍ବାଚନରେ ମୋଦି ସରକାରଙ୍କୁ କଡା ଟକ୍କର ଦେବା ପାଇଁ ତୃତୀୟ ସାମୁଖ୍ୟର ଉତଥାନ ହେବା ସୁନିଶ୍ଚିତ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ଅରବିନ୍ଦଙ୍କ ସମର୍ଥନରେ ୪ ମୁଖ୍ୟମନ୍ତ୍ରୀ ସାମିଲ ହେବା ଏହାର ଝଲକ ବୋଲି କୁହାଯାଉଛି । ଏହି ମେଂଟ ମୋଦି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ବୋଲି କୁହାଯାଉଛି । ଅରବିନ୍ଦଙ୍କୁ ଡିଏମକେ ନେତା ଷ୍ଟାଲିନ, ଗୁଜରାଟର ପଟିଦାର ନେତା ହାର୍ଦିକ ପଟେଲ, ଆରଜେଡି, ଆରଏଲଡି ସମେତ ବହୁ ଦଳ ଖୋଲାଖୋଲି ସମର୍ଥନ ଘୋଷଣା କରିଛନ୍ତି । ପୂର୍ବରୁ କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ଶପଥ ଉତ୍ସବରେ ସବୁ ବିରୋଧୀ ନେତା ଏକାଠି ହୋଇଥିଲେ ଏବଂ ମୋଦି ସରକାରଙ୍କ ପାଇଁ ଚିନ୍ତା ବଢାଇଥିଲେ । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଧାରଣା ସମସ୍ତ ବିରୋଧୀଙ୍କୁ ପୁଣି ଥରେ ଏକାଠି ହେବାର ସୁଯୋଗ ସୃଷ୍ଟି କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ବିରୋଧରେ ବଡଧରଣର ଆନ୍ଦୋଳନ କରିବା ପାଇଁ ଘୋଷଣା କରିଛି ଆମ ଆଦମୀ ପାର୍ଟି । ଆଜି ଦଳ ପକ୍ଷରୁ ପିଏମଓ ଅଫିସ ଘେରାଉ କରାଯିବାର ଯୋଜନା ରହିଛି । କେଜରିୱାଲଙ୍କ ଆନ୍ଦୋଳନ ସପ୍ତମ ଦିନରେ ପହଂଚିଥିବାବେଳେ ପରବର୍ତୀ ରଣନୀତି ନେଇ ପୂର୍ବରୁ ବୈଠକ ବସିଥିଲା । କେଜରିୱାଲଙ୍କ ବାସଭବନରେ ବସିଥିବା ବୈଠକରେ ଆମ ଆଦମୀ ପାର୍ଟିର ବହୁନେତା ଯୋଗ ଦେଇ ରବିବାର ହେବାକୁ ଥିବା ଆନ୍ଦୋଳନକୁ କିଭଳି ସଫଳ କରାଯାଇପାରିବ ତା ଉପରେ ଚର୍ଚ୍ଚା କରିଥିଲେ । ୩ଟି ପ୍ରମୁଖ ଦାବି ଦେଇ କେଜରିୱାଲଙ୍କ ସମେତ ୩ଜଣ ମନ୍ତ୍ରୀ ଅନଶନରେ ବସିଛନ୍ତି ।