ଗୋବର ଫିଙ୍ଗାଳିଙ୍କୁ ଫୁଲମାଳ ! ପାଣ୍ଡିଆନଙ୍କ ଘର ଉପରକୁ ଗୋବର ଫିଙ୍ଗିଥିବା ଯୁବକଙ୍କୁ ହିରୋ ଭଳି ସମ୍ବର୍ଦ୍ଧନା ଦେଲେ ବିଜେପି କର୍ମୀ

34

କନକ ବ୍ୟୁରୋ : ଗୋବର ଫିଙ୍ଗିଲେ, ସମ୍ବର୍ଦ୍ଧନା ପାଇଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ୍ ପାଣ୍ଡିଆନଙ୍କ ବାସଭବନରେ ଗୋବର ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ହିରୋ ଭଳି ସମ୍ବର୍ଦ୍ଧନା ଦିଆଯାଇଛି । ଭଙ୍ଗାରୁଜା ଓ ଗୋବର ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ବିଜେପି କର୍ମୀ ସମ୍ବର୍ଦ୍ଧନା ଦେଇଥିବାର ଚିତ୍ର ସାମନାକୁ ଆସିଛି । ଗତକାଲି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରପଡା ଜେଲ ଆଗରେ । ପାଣ୍ଡିୟାନଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ୮ ଜଣ ଗିରଫ ହୋଇ ଜେଲ ଯାଇଥିଲେ ।

ତେବେ ଗତକାଲି ୩ ଜଣ ଅଭିଯୁକ୍ତ ବେଲ୍ ପାଇ ଝାରପଡ଼ା ଜେଲରୁ ମୁକୁଳିଥିଲେ । ସେମାନେ ଜେଲରୁ ବାହାରିବା ମାତ୍ରେ ବିଜେପି କର୍ମୀ ସେମାନଙ୍କ ଗଳାରେ ଫୁଲମାଳ ପକାଇ ସମ୍ବର୍ଦ୍ଧିତ କରି ପାଛୋଟି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତ ଫେବୃୟାରୀ ୧୦ ତାରିଖରେ ଭି. କାର୍ତିକେୟନ୍ ପାଣ୍ଡିଆନଙ୍କ ବାସଭବନ ଉପରେ ବିଜେପି ପତାକା ଧରି ଭଙ୍ଗାରୁଜା କରିଥିଲେ କିଛି କର୍ମୀ । ପାଣ୍ଡିଆନଙ୍କ ବିରୋଧରେ ନାରାବାଜି କରିବା ସହ ଗୋବର ମଧ୍ୟ ଫିଙ୍ଗିଥିଲେ । କିଛି ସମୟ ଧରି ସେଠାରେ ଚଳାଇଥିଲେ ଆତଙ୍କରାଜ୍ । ଏହି ଖବର ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା । ପୋଲିସ ଛାନଭିନ୍ କରି ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିଲା ।