ଧନତେରସରେ ରାଜ୍ୟରେ ରେକର୍ଡ ଭାଙ୍ଗିଲା ସୁନାବିକ୍ରି । ଗୋଟିଏ ଦିନରେ ୧୪୦ କୋଟିର ଟଙ୍କାର ବ୍ୟବସାୟ

ରାଜ୍ୟବାସୀ ଗତକାଲି ଗୋଟିଏ ଦିନରେ ପ୍ରାୟ ୧୪୦ କୋଟି ଟଙ୍କା ପାଖାପାଖିର ସୁନା କିଣିଛନ୍ତି

222

କନକ ବ୍ୟୁରୋ : ଗତକାଲି ଥିଲା ଧନତେରସ। ଏହି ଦିନ ସୁନା ଓ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି। ସୁଖ ଓ ସମୃଦ୍ଧି ମଧ୍ୟ ମିଳିଥାଏ। ଲୋକଙ୍କ ମନରେ ବସା ବାନ୍ଧିଥିବା ଏହି ବିଶ୍ବାସ ଗହଣା ଦୋକାନୀଙ୍କ ବ୍ୟବସାୟକୁ ବଢ଼ାଇ ଦେଇଛି। ରାଜ୍ୟବାସୀ ଗତକାଲି ଗୋଟିଏ ଦିନରେ ପ୍ରାୟ ୧୪୦ କୋଟି ଟଙ୍କା ପାଖାପାଖିର ସୁନା କିଣିଛନ୍ତି। ଭୁବନେଶ୍ବରରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୩୨ ହଜାର ଟଙ୍କା ପାଖାପାଖି ରହିଥିଲା। ଏହାକୁ ଦେଖିଲେ ରାଜ୍ୟର ଗ୍ରାହକମାନେ ଗୋଟିଏ ଦିନରେ ପ୍ରାୟ ସାଢ଼େ ଚାରି କ୍ବିଣ୍ଟାଲ ସୁନା ବୋହି ନେଇଛନ୍ତି।

 

ସୁନା ମୂଲ୍ୟ ଗତବର୍ଷ ତୁଳନାରେ ପାଖାପାଖି ୨ ହଜାର ଟଙ୍କା ଅଧିକ ଥିଲେ ମଧ୍ୟ ଏହା ବିକ୍ରିକୁ ପ୍ରଭାବିତ କରିପାରି ନାହିଁ। ପାଗ ଅନୁକୂଳ ରହିବା ସହ ଆକର୍ଷଣୀୟ ଅଫର ବିକ୍ରି ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇଛି। ରାଜଧାନୀ ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ବର, ପୁରୀ ଓ ଅନୁଗୁଳ ଆଦି ପ୍ରମୁଖ ସହରର ଗହଣା ଦୋକାନରେ ସକାଳୁ ସକାଳୁ ଗ୍ରାହକଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ଅପରାହ୍ନରେ ଗହଳି ବଢ଼ିବା ସହିତ ସନ୍ଧ୍ୟାରେ ଏହା ଶୀର୍ଷରେ ପହଞ୍ଚିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେତେକ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।

 

ଆଗକୁ ବାହାଘର ତିଥି ଥିବାରୁ ଧନତେରସରେ ଗ୍ରାହକମାନେ ଅଧିକ ମାତ୍ରାରେ ସୁନା କିଣିଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି। ବିଶେଷକରି ବର୍ତ୍ତମାନ ସୋରୁମ୍ ଗୁଡ଼ିକ ଘୋଷଣା କରିଥିବା ଆକର୍ଷଣୀୟ ଅଫର ଆଗାମୀ ଦିନରେ ମିଳିବ ନାହିଁ। ଏହା ହିଁ ବିକ୍ରି ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଇଛି। ରାଜଧାନୀର ଏକ ପ୍ରମୁଖ ଗହଣା ସୋରୁମର ବରିଷ୍ଠ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ଗତବର୍ଷ ତୁଳନାରେ ଚଳିତବର୍ଷ ଧନତେରସରେ ୧୦ ପ୍ରତିଶତରୁ ଅଧିକ ସୁନା ବିକ୍ରି ହୋଇଛି। ସାଧାରଣ ଦିନ ଗୁଡ଼ିକରେ ଯେଉଁ ବିକ୍ରି ହୋଇଥାଏ ତାହା ତୁଳନାରେ ପାଖାପାଖି ୧୦ ଗୁଣ ଅଧିକ ବିକ୍ରି ହୋଇଛି ବୋଲି ସେ କହିଛନ୍ତି। କେବଳ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପାଖାପାଖି ୭୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।

 

ଅର୍ଥାତ୍ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଗ୍ରାହକମାନେ ଦୁଇ କ୍ବିଣ୍ଟାଲରୁ ଅଧିକ ସୁନା ଗହଣା ଘରକୁ ବୋହି ନେଇଛନ୍ତି। ସୁନା ବ୍ୟତୀତ ରୁପା, ହୀରା ଓ ପ୍ଲାଟିନମ୍ ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣାକୁ ମଧ୍ୟ ଗ୍ରାହକମାନେ କିଣିଛନ୍ତି। ବ୍ୟବସାୟୀଙ୍କ କହିବାନୁଯାୟୀ, ବାହାଘର ପାଇଁ ଯେଉଁମାନେ ଗହଣା କିଣିଛନ୍ତି ସେମାନେ ଅଧିକ ଓଜନର ଗହଣା କିଣିବାକୁ ପସନ୍ଦ କରିଛନ୍ତି। ଧନତେରସ ପାଇଁ ରାଜଧାନୀ ଓ ଅନ୍ୟ ସହରର ଗହଣା ସୋରୁମ୍ ଗୁଡ଼ିକ ଗତ କିଛିଦିନ ହେଲା ପ୍ରସ୍ତୁତ ହୋଇ ରହିଥିଲେ। ସୋରୁମରେ ନୂଆ ନୂଆ ଡିଜାଇନର ଗହଣା ପର‌୍ୟ୍ୟାପ୍ତ ମାତ୍ରାରେ ମହଜୁଦ ରଖିବା ସହିତ ସୋରୁମ୍ ବାହାରକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରିଥିଲେ। ମନ ଲୋଭା ଅଫରମାନ ମଧ୍ୟ ଗ୍ରାହକଙ୍କ ପାଇଁ ଘୋଷଣା କରିଥିଲେ।