କାନପୁରରେ ତୃତୀୟ ଦିନିକିଆ ! ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡର ନିର୍ଣ୍ଣାୟକ ଲଢେଇ

69

କନକ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର କାନପୁରରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିରୋଧରେ ଅନ୍ତିମ ଦିନିକିଆ ମ୍ୟାଚ ଖେଳିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ଥିବାରୁ ଆଜିର ମ୍ୟାଚ ସିରିଜ ଫଳାଫଳକୁ ନିର୍ଣ୍ଣୟ କରିବ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ବିଜୟ ସହ ସିରିଜକୁ ଫେରିଛି ଟିମ ଇଣ୍ଡିଆ । ତେଣୁ ଆଜି କୋହିଲ ବାହିନୀଙ୍କ ଅସଲ ପରୀକ୍ଷା ହେବାକୁ ଯାଉଛି । କାନପୁରରେ ବିଜୟର ସ୍ୱାଦ ଚାଖିଲେ ଭାରତରେ ପ୍ରଥମ ଦ୍ୱିପାକ୍ଷିକ ସିରିଜ ଜିଣିବାର ସୌଭାଗ୍ୟ ପାଇବ ନ୍ୟୁଜିଲାଣ୍ଡ । ସେହିପରି ଭାରତ ଜିତିଲା ଲଗାତାର ୭ଟି ସିରିଜ ଜିଣିବାର ରେକର୍ଡ କରିବ କୋହଲି ବାହିନୀ ।

ପ୍ରଥମ ଦିନିକିଆକୁ ହାରିବା ପରେ ଦ୍ୱିତୀୟକୁ ଜିତି ଭାରତ ଶୃଙ୍ଖଳାକୁ ଫେରିଛି। ତେବେ ଆଜିର ଲଢ଼େଇରେ କୋହଲି ବାହିନୀ ଅସଲ ପରୀକ୍ଷା ହେବାକୁ ଯାଉଛି। ମୁମ୍ବାଇରେ ପରାଜିତ ହେବା ପରେ ପୁନେରେ ଭାରତ କୁଲଦୀପ ଯାଦବଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଖେଳାଇଥିଲା । ସେହିଭଳି କାମଚଳା ସ୍ପିନର କେଦାର ଯାଦବ ମଧ୍ୟ ଢେର କିଛି ଓଭର ବୋଲିଂ କରିଥିଲେ । କାନପୁରର ଗ୍ରିନ୍‌ ପାର୍କ ପିଚ୍‌ରେ କୁଲଦୀପ ଫେରୁଛନ୍ତି ନା ଅକ୍ଷର ନିଜ ସ୍ଥାନ ବଜାୟ ରଖୁଛନ୍ତି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ହୋଇଛି। ସେହିଭଳି ପୁନେରେ ଦୀନେଶ କାର୍ତିକ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିଲେ। କାନପୁରରେ ସେ ସେହି ସ୍ଥାନରେ ଖେଳିବେ କି ନାହିଁ ? ତାହା ମଧ୍ୟ ପ୍ରଶଂସକଙ୍କ ପାଇଁ ଆଉ ଏକ ପ୍ରଶ୍ନ ଭାବେ ଉଭା ହୋଇଛି । ତେବେ ଚଳିତ ଶୃଙ୍ଖଳାରେ ପ୍ରରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏ ପର୍ଯ୍ୟନ୍ତ କିଛି କରି ପାରି ନଥିବାରୁ କୋହଲିଙ୍କ ପାଇଁ ସେ ଏକ ବଡ଼ ଚିନ୍ତା ଭାବେ ଉଭା ହୋଇଛନ୍ତି। କାନପୁରରେ ରୋହିତଙ୍କ ବ୍ୟାଟ୍‌ କଥା କହିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ସେପଟେ ନ୍ୟୁଜିଲାଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳ ବଦଳ କରିବା ସମ୍ଭାବନା ପ୍ରାୟ ନାହିଁ ।

ଦୁଇ ବର୍ଷ ପୂର୍ବେ ଗ୍ରିନ୍‌ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୩୦୩ ରନ୍‌ର ବଡ଼ ସ୍କୋର କରିଥିଲା । ଭାରତ ସେହି ମ୍ୟାଚ୍‌ରେ ୨୯୮ ରନ୍‌ କରି ୫ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା । ସେହିଭଳି ଚଳିତ ବର୍ଷ ଜାନୁଆରି ମାସରେ ଏଠାରେ ଖେଳିଥିବା ଇଂଲଣ୍ଡ ବିପକ୍ଷ ୨୦-୨୦କୁ ମଧ୍ୟ ଭାରତ ହାରି ଯାଇଥିଲା । ଏଣୁ କୋହଲି ରବିବାର ବିଜୟୀ ହୋଇ ଏହି ଧାରାକୁ ରୋକିବା ସହ ଆଉ ଏକ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବେ । ଏହି ମ୍ୟାଚ୍‌ରେ ୮୩ ରନ୍‌ କରି ପାରିଲେ କୋହଲି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି ଏବଂ ମହମ୍ମଦ ଆଝାରୁଦ୍ଦିନଙ୍କ ପରେ ଷଷ୍ଠ ଭାରତୀୟ ଖେଳାଳି ଭାବେ ଦିନିକିଆରେ ୯,୦୦୦ ରନ୍‌ ପୂରଣ କରିବେ । ଭାରତ ଶେଷ ଥର ପାଇଁ ୨୦୧୫ରେ ଦ୍ୱିପାକ୍ଷିକ ଶୃଙ୍ଖଳା ହାରିଥିଲା ।

ଅନ୍ୟପଟେ, ଫିଫା ଅଣ୍ଡର ସେଭେନଟିନ୍ ୱାର୍ଲଡକପ-୨୦୧୭ ଚାଂପିୟନ ହୋଇଛି ଇଂଲଣ୍ଡ । କୋଲକାତାର ସାଲଟେକ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଂଚକ ଫାଇନାଲ ମୁକାବିଲାରେ ଇଂଲଣ୍ଡ ସ୍ପେନକୁ ୫-୨ ଗୋଲରେ ପରାସ୍ତ କରିଛି । ସ୍ପେନ ପକ୍ଷରୁ ସର୍ଜିୟୋ ଗୋମେଜ ପ୍ରଥମାର୍ଦ୍ଧରେ ୨ଟି ଗୋଲ କରିଥିଲେ । ପରେ ଇଂଲଣ୍ଡ ପକ୍ଷରୁ ଗିବ୍ସ ହ୍ୱାଇଟ, ମାର୍କ, ଫିଲ ଫୋଡେନ ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ଗତକାଲିର ମ୍ୟାଚ ବେଶ ରୋମାଂଚକର ହୋଇଥିଲା । ପ୍ରାଥମାର୍ଦ୍ଧରେ ୨-୦ଗୋଲରେ ଆଗୁଆ ଥିବା ସ୍ପେନ ହଠାତ ଚାପଗ୍ରସ୍ତ ହୋଇଥିଲା । ନୂଆ ଉତ୍ସାହ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ସ୍ପେନ ଉପରେ ଘନ ଘନ ଆକ୍ରମଣ କରିଥିଲା । ନିର୍ଣ୍ଣାୟକ ଦ୍ୱିତୀୟାର୍ଦ୍ଧରେ ୪ଟି ଗୋଲ ବର୍ଷା କରି ୫-୨ରେ ଫାଇନାଲ ଜିତି ନେଇଥିଲା ।