ଗୋପପୁରରେ ପହଂଚିଲେ କୃଷ୍ଣ ! ମହାରାଜଙ୍କ ନଗର ଭ୍ରମଣରେ ଆତଙ୍କିତ ମଥୁରାବାସୀ, ଦଣ୍ଡବିଧାନ ଓ ଅଟ୍ଟହାସ୍ୟରେ କମ୍ପିଲା ମଥୁରାନଗରୀ

76

କନକ ବ୍ୟୁରୋ : ଆଜି ବରଗଡ ଧନୁଯାତ୍ରାର ତୃତୀୟ ଦିବସ । ଦ୍ୱିତୀୟ ଦିନରେ ମହାରାଜ କଂସଙ୍କ ନଗର ପରିକ୍ରମା ବେଳେ ଭୟଭିତ ହୋଇ ପଡିଥିଲେ ମଥୁରାବାସୀ । ଆଇନ୍ ଭଙ୍ଗକାରୀଙ୍କୁ ମହାରାଜଙ୍କ ଦଣ୍ଡବିଧାନ ଓ ଅଟ୍ଟହାସ୍ୟରେ କମ୍ପୁଥିଲା ମଥୁରା । ନଗର ଭ୍ରମଣ କରିବା ପରେ ଶୂନ୍ୟବାଣୀ ଆଶଙ୍କାରେ ଚିନ୍ତିତ ମହାରାଜ କଂସ ରଙ୍ଗମହଲରେ ନୃତ୍ୟଗୀତ ଆସରରେ ମସଗୁଲ ହୋଇଥିଲେ । ଦୈବବାଣୀ ପରେ ମନରେ ଥିବା ମୃତ୍ୟୁର ଭୟ ଓ ନିଜ ଭିତରେ ଥିବା ପୌରୁଷତ୍ୱକୁ ହୁଂକାରିବା ପାଇଁ ମହାଦେବଙ୍କ ଆରାଧନା କରିଛନ୍ତି ମହା ପ୍ରତାପି ମହାରାଜ କଂସ । ଏହାରି ଭିତରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଛନ୍ତି ଶ୍ରୀକୃଷ୍ଣ । ନବଜାତ ଶିଶୁଙ୍କୁ ନେଇ ଗୋପପୁରରେ ଛାଡିଦେଇଛନ୍ତି ବାସୁଦେବ ।

ସୂଚନାଯୋଗ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ପର୍ଯ୍ୟନ୍ତ ଚାଲିବ ଧନୁଯାତ୍ରା । ଏହି ଯାତ୍ରା ୨୦୧୮ ଜାନୁଆରି ୨ ପର୍ଯ୍ୟନ୍ତ ଚାଲିବ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଯାତ୍ରା ୬୯ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ବିଧିବଦ୍ଧ ଭାବେ ଉଦ୍‌ଘାଟିତ ହୋଇଛି । ଅପରାହ୍‌ଣରେ ସ୍ଥାନୀୟ ଗାନ୍ଧୀଛକ ସ୍ଥିତ ଗାନ୍ଧୀଜୀ, ସ୍ୱଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଭିରାମ କେରକେଟା ଓ ଧନୁଯାତ୍ରା ଆୟୋଜନ କମିଟି କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ ପରେ ଆରମ୍ଭ ହୋଇଥିଲା ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା । ନଗର ପରିକ୍ରମା ପରେ ଶୋଭାଯାତ୍ରା ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ପାରମ୍ପାରିକ ପୂଜାର୍ଚ୍ଚନା ପରେ ସଜ୍ଜିତ ହାତୀ, ଘୋଡ଼ା ଗାଡ଼ି ସହ ଏକ ବର୍ଣ୍ଣାଢ୍ୟ ପଟୁଆର ସହର ପରିକ୍ରମା କରି ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିଥିଲା ।