ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ ! ଗତକାଲି ଗୃହରେ ଉଠିଥିଲା ବନାବିରା ତାତି

39

କନକ ବ୍ୟୁରୋ : ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ତେବେ ଗତକାଲି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପି ସଦସ୍ୟ ହଙ୍ଗାମା କରିିଥିଲେ । ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହଳଲ୍ଲା ଓ ନାରାବାଜି କରିଥିଲେ । ପୋଲିସ ଶାସକ ଦଳର ହାତବାରିସି ସାଜିଥିବା ବିଜେପି ଅଭିଯୋଗ କରିଛି । ବିଜେଡି ଆକ୍ରୋଶମୂଳକ ଭାବେ ଜୟନାରାୟଣ ମିଶ୍ରଙ୍କୁ ଗିରଫ କରାଇଛି ବୋଲି ବିଧାୟକମାନେ କହିଥିଲେ । ଫଳରେ ଗୃହକୁ ଚଳାଇବା ସମ୍ଭବପର ହୋଇନଥିଲା । ବାରମ୍ବାର ଗୃହକୁ ମୂଲତବୀ କରିଥିଲେ ବାଚସ୍ପତି । ଅନ୍ୟପଟେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ପ୍ରସଙ୍ଗକୁ ଏଡାଇବା ପାଇଁ ବିଜେପି ଏପରି ହଟ୍ଟଗୋଳ କରୁଛି । ବିଧାନସଭାରେ କଂଗ୍ରେସ ଚାଷୀ ପ୍ରସଙ୍ଗ ନେଇ ମୂଲତବୀ ନୋଟିସ ଦେଇଛି ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟର ମୁଖ୍ୟ ସମସ୍ୟା ହେଉଛି ଚାଷୀ ସମସ୍ୟା । ଏ ନେଇ ବିଧାନସଭାରେ ମୁଲତବୀ ନୋଟିସ ଦିଆଯାଇଛି । ରାଜ୍ୟ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରେସମିଟ୍ କରି କହିଛନ୍ତି ଶାସକ ବିଜୁ ଜନତା ଦଳ ପୋଲିସକୁ ଅସ୍ତ୍ର ଭାବରେ ବ୍ୟବହାର କରି ଆକ୍ରୋଶ ମୂଳକ ରାଜନୀତି କରୁଛି । ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବାହାରେ ହୋଇଥିବା ହିଂସାକାଣ୍ଡକୁ ଚଂଚକତା କରି ରାଜ୍ୟ ଶାସକ ଦଳ ବିଜେପିର ଜଣେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଛନ୍ଦିବା ପାଇଁ ଷଡଯନ୍ତ୍ର କରିଛି ।