ମୂଷାମାନେ ଏଟିଏମରେ ଟଙ୍କା ଖାଇଯିବା ଖବର ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସତ। ଆସାମର ତିନସୁକିଆ ଜିଲ୍ଲାର ଲାଇପୁଲି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ୍ ମେସିନ୍ ଭିତରେ ମୂଷାମାନେ ୧୨ ଲକ୍ଷ ୩୮ ହଜାର ଟଙ୍କା କାଟି ଟୁକୁଡ଼ା ଟୁକୁଡ଼ା କରିଦେଇଛନ୍ତି। ଜୁନ୍ ୧୧ ତାରିଖର ଏହି ଘଟଣା ପଦାକୁ ଆସିଛି। ମୂଷାମାନେ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟକୁ କାଟି ଖଣ୍ଡ ଖଣ୍ଡ କରିଦେଇଥିବା ଛବି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଏଟିଏମ୍ଟି ବୈଷୟିକ ତ୍ରୁଟି ଯୋଗୁଁ ଗତ ମେ ମାସ ୨୦ ତାରିଖରୁ ବନ୍ଦ ରହିଥିଲା। ଏହି ଏଟିଏମ୍ର ପରିଚାଳନା ଦାୟିତ୍ୱରେ ଥିବା ଗୌହାଟିର ଏଫଆଇଏସ୍ (ଗ୍ଲୋବାଲ ବିଜନେସ୍ ସଲ୍ୟୁସନ୍ସ) ନାମକ କମ୍ପାନି ମେ ୧୯ ତାରିଖରେ ଏଟିଏମରେ ୨୯ ଲକ୍ଷ ଟଙ୍କା ଭର୍ତ୍ତି କରିଥିଲା। କିନ୍ତୁ ମେ ୨୦ ତାରିଖରୁ ଏଟିଏମଟି କାମ କରି ନଥିଲା। ତେବେ କର୍ମଚାରୀମାନେ ଏଟିଏମ୍ ମେସିନ୍ ଖୋଲିବା ପରେ ଏହା ଭିତରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଉଦ୍ଧାର କରିଥିବାବେଳେ ଅବଶିଷ୍ଟ ଟଙ୍କାକୁ ମୂଷାମାନେ କାଟି ଦେଇଛନ୍ତି। ମେ ୨୦ ତାରିଖରୁ ଜୁନ୍ ୧୧ ତାରିଖ ପର୍ୟ୍ୟନ୍ତ ଦୀର୍ଘଦିନ ଧରି ଏଟିଏମଟି ଖରାପ ହୋଇ ପଡ଼ି ରହିବା ଘଟଣାକୁ କେତେକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏତେଦିନ ଧରି ଏଟିଏମକୁ ସଜଡ଼ା ନଯିବା ଫଳରେ ଲୋକମାନେ ଅନ୍ୟ କିଛି ସନ୍ଦେହ କରୁଛନ୍ତି। ଷ୍ଟେଟ ବ୍ୟାଙ୍କ ପକ୍ଷରୁ ତିନସୁକିଆ ପୁଲିସରେ ଏ ନେଇ ଏକ ଏତଲା ଦିଆଯାଇଛି।