ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତି । କ’ଣ ହେଲା ଶସ୍ତା , ଆଉ କ’ଣ ମହଙ୍ଗା ? ପଢ଼ନ୍ତୁ ପୂରା ରିପୋର୍ଟ

13,933

କନକ ବ୍ୟୁରୋ: ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତି । ହୋଟେଲ ଶିଳ୍ପକୁ ଆଶ୍ୱସ୍ତି, ମଦୁଆଙ୍କୁ ଜିଏସଟି ଶାସ୍ତି । ଏଣିକି ଦେଶରେ ମୃଦୁପାନୀୟ, ଏନର୍ଜି ଡ୍ରିଙ୍କ ଆଦି ମହଙ୍ଗା ହେବ । ଏହା ଉପରେ ଲାଗୁ ହେଉଥିବା ଜିଏସଟି ହାର ୧୮ ପ୍ରତିଶତରୁ ବୃଦ୍ଧି କରି ୨୮ ପ୍ରତିଶତ କରାଯାଇଛି । ଆହୁରି ମଧ୍ୟ ଏସବୁ ସାମଗ୍ରୀ ଉପରେ ଅତିରିକ୍ତଭାବେ ୧୨ ପ୍ରତିଶତ ସେସ୍ ଲଗାଇବାକୁ ନିର୍ଦ୍ଧାରିତ କରିଛନ୍ତି ମୋଦି ସରକାର । ତେବେ ଏନେଇ ଗୋଆରେ ହୋଇଥିବା ୩୭ ତମ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ଅଟୋମୋବାଇଲ, ଦିଆସିଲି ବିସ୍କୁଟ୍ ଓ ଆଉଟ ଡୋର କ୍ୟାଟରିଂ ଉପକରଣ ଉପରେ ଜିଏସଟି ହାର ସଂଶୋଧନ ପ୍ରସ୍ତାବ ଥିଲା । ଏଥିରେ ହୋଟେଲ ଶିଳ୍ପର ମାନ୍ଦାବସ୍ଥା ସୁଧାରିବା ଲାଗି ଜିଏସଟି ହ୍ରାସ ନିଷ୍ପତ୍ତି ହୋଇଥିବା ବେଳେ ମୃଦୁ ପାନୀୟରେ ଜିଏସଟି ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଛି ।

ଏହାଛଡା ଜିଏସଟି କାଉନସିଲ ପକ୍ଷରୁ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବାର୍ଷିକ ୨ କୋଟିରୁ କମ ଟର୍ଣ୍ଣଓଭର ଥିବା ବ୍ୟବସାୟଗୁଡ଼ିକ ପାଇଁ ଜିଏସଟି ରିଟର୍ଣ୍ଣ ଫାଇଲ କରିବାକୁ ପଡିବ ନାହିଁ । ଆଉ ଏକ ନିଷ୍ପତ୍ତିକ୍ରମେ ୧୦୦୦ ହଜାର ଟଙ୍କାରୁ କମ ମୂଲ୍ୟର ହୋଟେଲ ରୁମ ଉପରୁ ଜିଏସଟି ଛାଡ କରାଯାଇଛି । ୧୦୦୦ ଟଙ୍କାରୁ ୭୫୦୦ ଟଙ୍କିଆ ରୁମ ଉପରେ ୧୨ ପ୍ରତିଶତ ଓ ୭୫୦୦ରୁ ଅଧିକ ମୂଲ୍ୟର ରୁମ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ହୋଟେଲ ରୁମ ଶସ୍ତା ହେବ ଓ ତାହା ପର୍ଯ୍ୟଟନକୁ ବଢାଇବ ।