କନକ ବ୍ୟୁରୋ : ମିଜୋରାମର ନବ ନିର୍ବାଚିତ ୪୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୬ ଜଣ କୋଟିପତି ବୋଲି ବୁଧବାର ଦିନ ଏକ ଅଧ୍ୟୟନ ଦର୍ଶାଇଛି। ବିଧାୟକମାନଙ୍କର ସମ୍ପତ୍ତି ୩ କୋଟିରୁ ୫ କୋଟି ପାଖାପାଖି ବୃଦ୍ଧି ପାଇଛି। କିନ୍ତୁ, ନୂତନ ବିଧାନସଭାରେ ଜଣେ ହେଲେ ବିଧାୟିକା ନାହାନ୍ତି। ସବୁଠୁ ଅଧିକ କୋଟିପତି ବିଧାୟକ ଅଛନ୍ତି ମିଜୋ ନେସନାଲ ଫ୍ରଣ୍ଟ୍ରୁ। ଉକ୍ତ ଦଳ ଜିଣିଥିବା ୨୬ଟି ଆସନରୁ କୋଟିପତି ବିଧାୟକମାନଙ୍କ ସଂଖ୍ୟା ୨୨। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍(ଏଡିଆର୍) ନାମକ ସଂସ୍ଥାନ ଏକଥା ତା’ର ରିପୋର୍ଟରେ ପ୍ରକାଶ କରିଛି।
ବିଗତ ବିଧାନସଭାରେ ୩୦ ଜଣ କୋଟିପତି ବିଧାୟକ ଥିଲେ। ନୂତନ ବିଧାନସଭାରେ କୋଟିପତି-କ୍ଲବ୍ ମଧ୍ୟରେ ରହିଛନ୍ତି ୫ ଜଣ କଂଗ୍ରେସ, ୮ ଜଣ ସ୍ୱାଧୀନ ଏବଂ ଜଣେ ବିଜେପି ବିଧାୟକ। ଏ ସମସ୍ତଙ୍କ ସମ୍ପତ୍ତି ଏକ କୋଟିରୁ ଅଧିକ ବୋଲି ଘୋଷଣା କରାଯାଇଥିବା ଏଡିଆର୍ କହିଛି।ରିପୋର୍ଟରେ ପ୍ରକାଶ ପାଇଛି: ୨୦୧୮ ମିଜୋରାମ ବିଧାନସଭା ନିର୍ବାଚନରେ ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୪. ୮୪ କୋଟି ଟଙ୍କା। ୨୦୧୩ ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ଥିଲା ୩. ୧୦ କୋଟି ଟଙ୍କା।
ହାରାହାରି ୫ କୋଟି ସମ୍ପତ୍ତି ଥିବା ବିଧାୟକଙ୍କ ସଂଖ୍ୟା ହେଉଛି ୯। ବିଧାୟକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ସମ୍ପତ୍ତି ୧୦-୫୦ ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏମ୍ଏନ୍ଏଫର ୨୬ ଜଣ ବିଧାୟକଙ୍କର ହାରାହାରି ସମ୍ପତ୍ତିର ମୂଲ୍ୟ ୪. ୯୭ କୋଟି ଟଙ୍କା ହୋଇଥିବା ବେଳେ କଂଗ୍ରେସରୁ ଜିଣିଥିବା ୫ ଜଣ ବିଧାୟକଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୫. ୧୩ କୋଟି ଟଙ୍କା। ୮ ଜଣ ସ୍ୱାଧୀନ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୪. ୩୯ ହୋଇଥିବା ବେଳେ ଜଣେ ମାତ୍ର ବିଜେପି ବିଧାୟକଙ୍କର ସମ୍ପତ୍ତିର ମୂଲ୍ୟ ୩. ୩୧ କୋଟି ଟଙ୍କା। ଏମନ୍ଏଫର ମାତ୍ର ୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବା କଥା ଘୋଷଣା କରିଛନ୍ତି। ୧୦ ଜଣ ବିଧାୟକମାନଙ୍କର ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ହୋଇଥିବା ବେଳେ ୨୯ ଜଣ ନିର୍ବାଚତି ବିଧାୟକଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଥିବା ସୂଚନା ମିଳିଛି ।
Next Post