ତାରିଖ୍ ପେ ତାରିଖ୍ ! କୋର୍ଟରେ ଗଡୁଛି କୋଟି କୋଟି ବିଚାରଧୀନ ମାମଲା, ଫୈସଲା କରିବାକୁ ନାହାନ୍ତି ଆବଶ୍ୟକୀୟ ବିଚାରପତି?

144

କନକ ବ୍ୟୁରୋ : ତାରିଖ୍ ପେ ତାରିଖ । ତାରିଖ ପେ ତାରିଖ୍ ମିଳତି ରହି ହେ । ବଲିଉଡ ଫିଲ୍ମ ଦାମିନୀରେ ସନ୍ନି ଦେଓଲଙ୍କ ଏହି ଡାଇଲଗ କିଏ ବା ନ ଜାଣିଛି । ସନ୍ନି ଦେଓଲଙ୍କ ଏହି ଫିଲ୍ମ ଡାଇଲଗ ଏବେ ଦେଶରେ ବାସ୍ତବରେ ସତ ପ୍ରମାଣିତ ହେବାକୁ ଯାଉଛି । ଯେତେବେଳେ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଆସିବା ବଦଳରେ ଆସୁଛି କେବଳ ତାରିଖ୍ । ୨୯ ଜାନୁଆରୀରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ହେବାକୁ ସ୍ଥିର ହୋଇଥିବା ବେଳେ ଜଣେ ବିଚାରପତି ଅନୁପସ୍ଥିତ ରହିବା କାରଣରୁ ଏହି ମାମଲାର ଶୁଣାଣିକୁ ଆଗାମୀ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

କେବଳ ଅଯୋଧ୍ୟା ମାମଲା ନୁହେଁ ନ୍ୟାୟ ପାଇବା ଆଶାରେ କୋର୍ଟର ଚକ୍କର କାଟୁଥିବା ଲୋକ ଜାଣିଛି ବିଚାରପିତ ଦେଉଥିବା ତାରିଖ କେତେ କଷ୍ଟ ଦିଏ । କେବଳ ଅଯୋଧ୍ୟା ମାମଲା ନୁହେଁ ଦେଶରେ ଏହିଭଳି ଭାବେ ବର୍ଷ ବର୍ଷ ଧରି ଗଡି ଆସୁଛି ଅନେକ ମାମଲା । ଯେଉଁଥିପାଇଁ ଅଧିକାଂଶ ସମୟରେ ଅଭିଯୋଗକାରୀ ନ୍ୟାୟ ପାଇବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରୁଛି ତ ପୁଣି କେତେବେଳେ ଦୋଷୀ ସାବ୍ୟସ୍ତ ନ ହୋଇ ମଧ୍ୟ କେବଳ ଅଭିଯୋଗ ଆଧାରରେ ଜେଲର ଚାରିକାନ୍ଥ ମଧ୍ୟରେ ସଜା କାଟୁଛନ୍ତି ଅନେକ ନିର୍ଦ୍ଦୋଷ ।

ନ୍ୟାୟ ପାଇବା କ୍ଷେତ୍ରରେ ଦେଶରେ ଏଭଳି ସ୍ଥିତି କାହିଁକି ଉପୁଜିଛି ? ସାଧାରଣ ଲୋକଟିର ମନରେ ଏଭଳି ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ । ତେବେ ଏହାର ଉତ୍ତର ହେଉଛି ଦେଶର ବିଭିନ୍ନ କୋର୍ଟରେ ବିଚାରପତିଙ୍କ ଅଭାବ ଓ ବର୍ଷ ବର୍ଷ ଧରି ଗଡି ଆସୁଥିବା ବିଚାରଧୀନ ମାମଲା । ବରିଷ୍ଠ ସାମ୍ବାଦିକ କାଞ୍ଚନ ଗୁପ୍ତାଙ୍କ ସୂଚନା ଅନୁଯାୟୀ, ଦେଶରେ ଏବେ ୩ କୋଟି ୪୪ ଲକ୍ଷ ୭୦ ହଜାର ୮୧୭ଟି କେସ ପେଣ୍ଡିଂ ବା ବିଚାରଧୀନ ରହିଛି । ସେଥିମଧ୍ୟରୁ କେବଳ ସୁପ୍ରିମକୋର୍ଟରେ ୫୭ ହଜାର ୩୪୬ଟି ମାମଲା ବିଚାରଧୀନ ରହିଥିବା ବେଳେ ଦେଶରେ ଥିବା ହାଇକୋର୍ଟ ଓ ଜିଲ୍ଲା ଏବଂ ନିମ୍ନ ଅଦାଲତରେ ଯଥାକ୍ରମେ ୪୭ ଲକ୍ଷ ୧୯ ହଜାର ୪୮୩ ଓ ୨ କୋଟି ୯୬ ଲକ୍ଷ ୯୩ ହଜାର ୯୮୮ଟି ମାମଲା ବିଚାରଧୀନ ରହିଛି । ଆଉ ସବୁଠୁ ବଡ କଥା ହେଲା, ନିମ୍ନ ଅଦାଲତରେ ଥିବା ସବୁ ମାମଲାର ଶୁଣାଣି ଶେଷ କରିବାକୁ ପାଖାପାଖି ୩୨୪ ବର୍ଷ ଲାଗିଯିବ ।


କାଞ୍ଚନ ଗୁପ୍ତାଙ୍କ ରିପୋର୍ଟ ଅନୁଯାୟୀ, ଦେଶର ନିମ୍ନ ଅଦାଲତ ଗୁଡିକରେ ୬୦ ଲକ୍ଷ ମାମଲା ୫ ବର୍ଷ ପୁରୁଣା ବିଚାରଧୀନ ମାମଲା ହୋଇଥିବା ବେଳେ ୩୦ ବର୍ଷରୁ ଅଧିକ ସମୟ ଧରି ବିଚାରଧୀନ ରହିଥିବା ମାମଲା ସଂଖ୍ୟା ୬୬ ହଜାର । ସେହିଭଳି ପାଖାପାଖି ୪୫ ବର୍ଷ ପୁରୁଣା ୧୮୦୦ଟି ମାମଲା ବିଚାରଧୀନ ରହିଛି । ଏସବୁ ଭିତରେ ସବୁଠୁ ବଡ କଥା ହେଲା, ସିନିୟର ସିଟିଜେନଙ୍କ ପକ୍ଷରୁ ଦାୟର କରାଯାଇଥିବା ୧୭ ଲକ୍ଷ ୨୪ ହଜାର ୨୪୦ଟି ମାମଲା ଏଯାଏଁ ବିଚାରଧୀନ ରହିଛି । ତେଣୁ ଭାରତରେ ନ୍ୟାୟ ପାଇବାକୁ ଲୋକଙ୍କୁ କେତେ ସଂଘର୍ଷ କରିବାକୁ ପଡୁଛି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।

ଯଦି ଓଡିଶା ଉପରେ ନଜର ପକାଇବା ତେବେ ରାଜ୍ୟରେ ଏବେ ମଧ୍ୟ ୧୧ ଲକ୍ଷ ୫୩ ହଜାର ୯୩୩ଟି ମାମଲା ବିଚାରଧୀନ ରହିଛି । ଯେଉଁଥିରେ ୨୦ରୁ ୩୦ ବର୍ଷ ପୁରୁଣା ୨୭୪୫୯ଟି ମାମଲା ରହିଥିବା ବେଳେ ୩୦ ବର୍ଷରୁ ଅଧିକ ୪୧୦୧ଟି ପୁରୁଣା ମାମଲା ବିଚାରଧୀନ ରହିଛି ।
ଏହାବାଦ୍ ମାମଲା ବିଚାରଧୀନ ରହିବା ପଛରେ କୋର୍ଟ ଗୁଡିକରେ ବିଚାରପତିଙ୍କ ନିଯୁକ୍ତି ଅଭାବ ମଧ୍ୟ ଆଉ ଏକ କାରଣ । ଆଇନ ମନ୍ତ୍ରାଣଳୟର ରିପୋର୍ଟ ଅନୁଯାୟୀ, ଭାରତରେ ୧୦ ଲକ୍ଷ ଲୋକଙ୍କ ପାଇଁ ହାରାହାରି ୧୮ ଜଣ ବିଚାରପତି ନିଯୁକ୍ତ କରାଯାଇଛି । ଯେତେବେଳେ କି ୧୦ ଲକ୍ଷ ଲୋକଙ୍କ ପାଇଁ ବିଚାରପତିଙ୍କ ସଂଖ୍ୟା ୫୦ ରହିବା ଆବଶ୍ୟକ ଲ କମିଶନ ରିପୋର୍ଟରେ କହିଛନ୍ତି ।

ଏସବୁ ଭିତରେ ଦେଶର ହାଇକୋର୍ଟ ଗୁଡିକରେ ବିଚାରପତିଙ୍କ ଘୋର ଅଭାବ ଦେଖିବାକୁ ମିଳିଛି । ଦେଶର ୨୪ଟି ହାଇକୋର୍ଟର ବିଚାରପତିଙ୍କ କଥା କହିବା ତେବେ ଆହ୍ଲାବାଦ ହାଇକୋର୍ଟରେ ୧୬୦ ଜଣ ବିଚାରପତିଙ୍କ ଆବଶ୍ୟକତା ଥିବା ବେଳେ ଏଠାରେ ଆହୁରି ୫୦ଟି ଆସନ ଖାଲି ପଡିଛି । ସେହିଭଳି ଓଡିଶା ହାଇକୋର୍ଟରେ ୨୭ ଜଣ ବିଚାରପତିଙ୍କ ଆବଶ୍ୟକତା ଥିବା ବେଳେ ୧୪ ଜଣ ବିଚାରପତି ନିଯୁକ୍ତି ପାଇଛନ୍ତି । ଏହି ହିସାବରେ ଦେଖିବାକୁ ଗଲେ ଦେଶରେ ଥିବା ୨୪ଟି ହାଇକୋର୍ଟରେ ୧୦୭୯ ଜଣ ବିଚାରପତିଙ୍କର ଆବଶ୍ୟକତା ରହିଥିବା ବେଳେ ୬୯୫ ଜଣ ଏବେ କାର୍ଯ୍ୟ କରୁଛନ୍ତି । ଆହୁରି ୩୮୪ଟି ଆସନରେ କୌଣସି ବିଚାରପତି ଏଯାଏଁ ନିଯୁକ୍ତି ପାଇନାହାନ୍ତି । ଆଉ ବିଚାରପତିଙ୍କ ଅଭାବ ଯୋଗୁଁ ଦେଶରେ ବର୍ଷ ବର୍ଷ ଧରି ମାମଲା ଗଡି ଚାଲିଛି ଓ ନ୍ୟାୟ ପାଇବାକୁ ସାଧାରଣ ଲୋକଙ୍କୁ ବର୍ଷ ବର୍ଷ ଧରି କରିବାକୁ ପଡୁଛି ଅପେକ୍ଷା ।