ହକି ପ୍ରେମରେ ରାଜ୍ୟ ସରକାର ! ପୁରୁଷ ହକି ବିଶ୍ୱକପ ପାଇଁ ୧୨୫ କୋଟି, ୨୦୧୭ ତୁଳନାରେ ଦୁଇଗୁଣ ହେଲା ୨୦୧୮ର ବଜେଟ

36

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ କ୍ରୀଡା ପ୍ରେମ ! ଚଳିତ ବଜେଟରେ କ୍ରୀଡାକୁ ଅଗ୍ରାଧିକାର ଦେଇଛନ୍ତି ସରକାର । ବିଶ୍ୱ୍ରକ୍ରୀଡାର ହବ ପାଲଟିଥିବା ଓଡ଼ିଶା ଚଳିତ ବଜେଟରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ଟଙ୍କାର ବର୍ଷା କରିଛନ୍ତି । ଏସୀୟ କ୍ରୀଡା ପ୍ରତିଯାଗିତା, ବିଶ୍ୱ ହକି ଲିଗ୍, ଭାରତୀୟ ସୁପର ଲିଗ୍ ଫୁଟବଲ ଭଳି ଅର୍ନ୍ତଜାତୀୟ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ସରକାର ପ୍ରଂଶସା ସାଉଁଟିଥିବା ବେଳେ ଏହି ଧାରାକୁ ଆଗକୁ ନେବା ପାଇଁ କ୍ରୀଡା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହାର ଝଲକ ଚଳିତ ବଜେଟରେ ଦେଖିବାକୁ ମିଳିଛି । ପୁରୁଷ ବିଶ୍ୱ କପ୍ ହକି ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୮-୧୯ ବଜେଟରେ ୧୨୫ କୋଟି ଟଙ୍କା ପ୍ରସ୍ତାବ ରଖିଛନ୍ତି। ହକି ବିଶ୍ୱ କପର ୧୪ତମ ସଂସ୍କରଣ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ।

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟରେ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଭାଙ୍କୁ ଗୁରୁତ୍ୱ ଦେଇଛନ୍ତି।ସରକାର ମହିଳା କ୍ରୀଡ଼ାବିତଙ୍କୁ ମଧ୍ୟ ବିଗତ ବର୍ଷମାନଙ୍କ ତୁଳନାରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ସରକାର ବଜେଟରେ ସ୍ଥାନ ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମର ବିକାଶ ସହିତ ରାଉରକୋଲା ଓ ବ୍ରହ୍ମପୁରରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି। ସେହିଭଳି ବଜେଟରେ କୋଣାର୍କରେ ସନ୍ ଏଣ୍ଡ ସାଣ୍ଡ ମାରାଥନ୍ ପାଇଁ ୧୫ କୋଟି ଟଙ୍କା ସ୍ଥାନ ଦେଇଛନ୍ତି। ବିଜୁ ଯୁବବାହିନୀ ପାଇଁ ୧୦୩ କୋଟି ଟଙ୍କା ଉପସ୍ଥାପନ ହୋଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ସକ୍ଷମ କରାଇବାରେ ଉଦ୍ୟମ କରୁଛନ୍ତି ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ସ୍ୱର୍ଣ୍ଣ ଯୋଜନାରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପୂର୍ବବର୍ଷ କ୍ରୀଡା ଓ ଯୁବ ସେବା ବିଭାଗ ପାଇଁ ୧୪୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳ ଚଳିତ ବଜେଟରେ ଏହାକୁ ଦ୍ୱିଗୁଣିତ କରାଯାଇଛି । ମୋଟ ୩୪୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।