ଦିଲ୍ଲୀ ହିଂସା ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି । ଆଜି ଆଖି ବୁଜିଲେଣି ୭ ଜଣ । ସେପଟେ ପୋଲିସର ଫ୍ଲାଗମାର୍ଚ୍ଚ ପରେ ସ୍ଥିତିରେ ସାମାନ୍ୟ ସୁଧାର

ନେତାଙ୍କ ଉତ୍ତେଜକ ଭାଷଣ ଘଟଣାରେ ଆଜି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ ଦିଲ୍ଲୀ ପୋଲିସ

369

କନକ ବ୍ୟୁରୋ: ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ମେଡିକାଲରେ ଏବେ ବି ୨୫୦ଜଣରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ପୁଲିସର ଫ୍ଲାଗମାର୍ଚ୍ଚ ପରେ ନିୟନ୍ତ୍ରଣରେ ଆସିଛି ଦିଲ୍ଲୀର ସ୍ଥିତି । ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ, ଚାନ୍ଦବାଗ, ଭଜନପୁରା, ଯମୁନାବିହାର ଓ ମୌଜପୁରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ହିଂସାକାଣ୍ଡ ଘଟଣାରେ ୧୮ଟି ମାମଲା ରୁଜୁ କରି ୧୦୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଇତି ମଧ୍ୟରେ ଉତରପୂର୍ବ ଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସିବିଏସଇ ସ୍ଥଗିତ ରଖିଛି ।

ଅନ୍ୟପଟେ ଆମେରିକୀୟ ଦୂତାବାସ ନିଜ ନାଗରିକମାନଙ୍କୁ ଦିଲ୍ଲୀ ଗସ୍ତ ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଶେଷ କରି ଦଙ୍ଗା ପ୍ରଭାବିତ ଅଂଚଳକୁ ଗସ୍ତ ନକରିବାକୁ ଦୂତାବାସ ପରାମର୍ଶ ଦେଇଥିବା ଜଣାପଡିଛି । ସେପଟେ ଦିଲ୍ଲୀ ହାଇକୋର୍ଟ ଏପରି ସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ସିଧାସଳଖ ଦିଲ୍ଲୀ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦଙ୍ଗାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୁଲିସକୁ ୨୪ ଘଂଟାର ସମୟ ଦିଆଯାଇଛି । ଆଜି ଏହି ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି । ଆଜି ଦିଲ୍ଲୀ ପୁଲିସ ବିଜେପି ନେତାଙ୍କ ଉତେଜନ ଭାଷଣ ନେଇ ହାଇକୋର୍ଟରେ ଜବାବ ଦେବ ।

ସେପଟେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ପଂଜାବ-ହରିୟାଣା ହାଇକୋର୍ଟକୁ ବଦଳି । ଗତକାଲି ଦିଲ୍ଲୀ ହିଂସାକାଣ୍ଡ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏସ ମୁରଲୀଧର । ଏହି ସମୟରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଦିଲ୍ଲୀ ପୁଲିସର ଭୂମିକାକୁ ଭର୍ତ୍ସନା କରିଥିଲେ ମୁରଲୀଧର । ଏହାଛଡା ବିଜେପି ନେତାଙ୍କ ସାଂପ୍ରଦାୟିକ ଉତେଜନା ସୃଷ୍ଟିକାରୀ ଭିଡିଓକୁ ମଧ୍ୟ ଦେଖିଥିଲେ ବିଚାରପତି । ଶୁଣାଣି ବେଳେ ଏସ ମୁରଲୀଧର କହିଥିଲେ, ଦିଲ୍ଲୀରେ ଦ୍ୱିତୀୟ ୧୯୮୪ ଦଙ୍ଗା ହେବାକୁ ଦିଆଯିବ ନାହିଁ । ବୁଧବାର ମାମଲାର ଶୁଣାଣିକୁ ଗୁରୁବାର ଯାଏଁ ସ୍ଥଗିତ ରଖିବା ସହ ମୁଖ୍ୟ ବିଚାରପତିଙ୍କୁ ଖଣ୍ଡପୀଠକୁ ପଠାଇଦେଇଥିଲେ ଦିଲ୍ଲୀ ଦଙ୍ଗା ମାମଲା ।

ରାଷ୍ଟ୍ରପତି ଭବନରୁ ଜଷ୍ଟିସ ଏସ ମୁରଲୀଧରଙ୍କ ବଦଳି ଆଦେଶ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଚିଫ୍ ଜଷ୍ଟିସ ଏସଏ ବୋବଡେଙ୍କ ବିଚାର ବିମର୍ଶ କରିବା ପରେ ଦିଲ୍ଲୀ ହାଇକୋର୍ଟରୁ ପଂଜାବ-ହରିୟାଣା ହାଇକୋର୍ଟଙ୍କୁ ବଦଳି କରିଛନ୍ତି । ଏଥିସହ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ଫେବୃୟାରୀ ୧୨ରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ ମୁରଲୀଧରଙ୍କ ବଦଳି ପାଇଁ ସୁପାରିଶ କରାଯାଇଥିଲା । ତେବେ ଗତକାଲି ଦିଲ୍ଲୀ ହିଂସାକାଣ୍ଡ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ସହ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରିବାରୁ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି ।