ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସାଂଘାତିକ ଖେଳ । ଖାତାରେ ଉତ୍ତର ମିଶିଗଲା ବୋଲି, ୩୨୦୦ ପିଲାଙ୍କୁ ମିିଳିଲା ଶୂନ ମାର୍କ । ବୋର୍ଡ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ଡିପ୍ଲୋମା ପରିକ୍ଷାର୍ଥୀ

29

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସାଂଘାତିକ ଖେଳ । ରାଜ୍ୟର ଆଇଆଣ୍ଡଏମ ଅଥାର୍ତ ଏଣ୍ଟରପ୍ରେନ୍ୟୁରସିପ୍ ଆଣ୍ଡ୍ ମ୍ୟାନେଜମେଣ୍ଟ ବିଷୟରେ ପରୀକ୍ଷା ଦେଇଥିବା ଡିପ୍ଲୋମାର ଶେଷ ବର୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୂନ ମାର୍କ ମିଳିଛି । ଏହାସହ ଏହି ବିଷୟ ରଖି ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ଏହି ବିଷୟରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଫେଲ ହେବାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।ରାଜ୍ୟର ମୋଟ ୩୨୦୦ ଛାତ୍ରଛାତ୍ରୀ ଏହି ବିଷୟରେ ପରୀକ୍ଷା ଦେଇଥିଲେ ଏବଂ ସମସ୍ତଙ୍କ ନମ୍ବର ଶୂନ ରହିଛି ବୋଲି ଜଣା ପଡିଛି ।

ଅନ୍ୟପଟେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ପରିଷଦ କହିଛି ଯେ, ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତର ସମାନ ଆସିଥିବାରୁ ସମସ୍ତଙ୍କୁ ଶୂନ ମାର୍କ ଦିଆଯାଇଛି । ବୋର୍ଡର ଏହି ନିଷ୍ପତି ପରେ ଛାତ୍ରଛାତ୍ରୀଙ୍କୁ ଆଉଥରେ ପରୀକ୍ଷା ଦେବାକୁ ପଡିବ । ତାହା ବି ପୁଣି ବର୍ଷେ ପରେ । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସବଠୁ ବଡ କଥା ହେଲା, ସବୁ ବିଷୟରେ ୬୦ରୁ ୭୦ ପ୍ରତିଶତ ରଖିଥିବା ଛାତ୍ରଛାତ୍ରୀ କେବଳ ଏହି ଏଣ୍ଟରପ୍ରେନ୍ୟୁରସିପ୍ ଆଣ୍ଡ୍ ମ୍ୟାନେଜମେଣ୍ଟ ବିଷୟରେ ଫେଲ ହୋଇଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ପାସ୍ ହେବାକୁ ଆହୁରି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ । ବୋର୍ଡର ଏଭଳି ନିଷ୍ପତି ପରେ ଛାତ୍ରଛାତ୍ରୀଙ୍କ କ୍ୟାରିଅର ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ତେଣୁ ଏହାକୁ ନେଇ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଛାତ୍ରଛାତ୍ରୀ । ଏପରିକି ନୟାଗଡରେ ବୋର୍ଡ଼ର ଏଭଳି ମନମାନିକୁ ନେଇ ପ୍ରତିିବାଦ ଦେଖିବାକୁ ମିଳିଛି । ନୟାଗଡ ଜିଲ୍ଲା ଛାତ୍ର ସଂଘ ପକ୍ଷରୁ ଛାତ୍ରନେତା ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ କିଛି ପରୀକ୍ଷାର୍ଥୀ ମଧ୍ୟ ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଯେଉଁ ଛାତ୍ରଛାତ୍ରୀ ଏନେଇ ଅଭିଯୋଗ କରିବାକୁ ଚାହୁଁଥାନ୍ତି ସେମାନେ ବୋର୍ଡ ପକ୍ଷରୁ ଦିଆଯାଇଥିବା ତାରିଖରେ ସରକାରୀ ପଲିଟେକନିକ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ନିଜର ଅଭିଯୋଗ ଦାଖଲ କରିପାରିବେ । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି ବୋର୍ଡ । ତେବେ ୩୨୦୦ ଛାତ୍ରଛାତ୍ରୀଙ୍କର କ୍ୟାରିୟର ବିଷୟ ହୋଇଥିବାରୁ ଏହା ଊପରେ ଯଥାଶୀଘ୍ର ବିଚାର କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।