ଉରି ପରେ ପୁଲୱାମାରେ ଜବରଦସ୍ତ ଆତଙ୍କୀ ହମଲା ! ଅନ୍ଧାଧୁନ ଗୁଳି ଚଳାଇଲେ ଆତଙ୍କବାଦୀ, ଦୋହଲିଗଲା ଦେଶ, ୩୦ ଯବାନ ସହିଦ ।

371

କନକ ବ୍ୟୁରୋ : ଉରୀ ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରା ଦେଶକୁ ଦୋହଲାଇ ଦେଇଛି । ଜାମ୍ମୁରୁ ଶ୍ରୀନଗର ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଛନ୍ତି ଆତଙ୍କବାଦୀ । ଏଥିରେ ୩୦ଜଣ ଯବାନ ପ୍ରାଣ ହରାଇବା ସହ ୪୫ ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ନେଇ ସୂଚନା ମିଳିିଛି ଏବଂ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି ।

୭୦ଟି ବସ ସିଆରପିଏଫ ଯବାନମାନଙ୍କୁ ନେଇ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା କାର ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା । ଏହାପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ ବସ ସମ୍ପୁର୍ଣ୍ଣ ଭାବରେ ଜଳିଯାଇଥିଲା । ଏହି ଆତଙ୍କି ହମଲାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ମଧ୍ୟ ଆଶଙ୍କା ରହିଛି । ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏନେଇ ଜୈସ-ଇ-ମହମ୍ମଦ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ଜମ୍ମୁରୁ ଶ୍ରୀନଗରକୁ ୭୦ଟି ବସରେ ୨୫୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଯାଉଥିଲେ । ମିିଳିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସିଆରପିଏଫ ବସରେ ୩୯ଜଣ ଯବାନ ଯାତ୍ରା କରୁଥିଲେ । ବିସ୍ଫୋରକ ଭରା କାରଟି ମହିନ୍ଦ୍ରା ସ୍କର୍ପିଓ ଥିଲା ବୋଲି ଜଣାପଡିଛି । ଏବଂ ଏଥିରେ ୩୫୦ କିଲୋ ବିସ୍ଫୋରକ ଲଦାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀନଗର-ଜମ୍ମୁ ହାଇୱେରେ ଭାରତୀୟ ଯବାନ ସବୁବେଳେ ଗତିଶୀଳ ରହୁଥିବାରୁ ଏହି ହାଇୱେକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଥାଏ । ତେଣୁ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସର କହିବାନୁସାରେ ବିସ୍ଫୋରକ ଭରା କାରଟିକୁ ଅଦିଲ ଅହମ୍ମଦ ନାମକ ଜଣେ ଆତଙ୍କବାଦୀ ଚଳାଉଥିଲା । ୨୦୧୮ରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଏହି ଆତଙ୍କବାଦୀର ସ୍କେଚ ଜାରି କରିଛି ପୋଲିସ ।