ଭାରତ ପାଇବ କି କରୋନା ଭ୍ୟାକସିନ ? କରୋନା ଟୀକା ପାଇଁ ଭାରତର ୩୦ଟି ପରୀକ୍ଷାଗାରରେ ଚାଲିଛି କାମ । କେନ୍ଦ୍ର ସରକାରଙ୍କ ବିଜ୍ଞାନ ପରାମର୍ଶଦାତା କହିଲେ ଆଗେଇଛି ୨୦ଟି ସଂସ୍ଥାର ଗବେଷଣା, କେବଳ ଟୀକା ମାଧ୍ୟମରେ କରିହେବ କରୋନାକୁ ପରାସ୍ତ ।

946

କନକ ବ୍ୟୁରୋ: କରୋନା ମହାମାରୀରର ମୁକାବିଲା ନେଇ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଦେଖାଦେଇଛି ଏକ ନୂଆ ସମ୍ଭାବନା । କରୋନା ମୁକାବିଲା ପାଇଁ ଭାରତରେ ୩୦ଟି ଅନୁଷ୍ଠାନ ପ୍ରତିଶେଧକ ଟୀକା ଉପରେ ଗବେଷଣା କରୁଛନ୍ତି । ଏଥିରୁ ପ୍ରାୟ ୨୦ଟି ଅନୁଷ୍ଠାନର ଗବେଷଣା ବେଶ ଭଲ ସ୍ଥିତିରେ ରହିଥିବା କହିଛନ୍ତି କେନ୍ଦ୍ର ସରକାରଙ୍କର ପ୍ରମୁଖ ବୈଜ୍ଞାନିକ ପରାମର୍ଶ ଦାତା କେ ବିଜୟ ରାଘବନ ।

କରୋନା ଟୀକା ପ୍ରସ୍ତୁତ ପାଇଁ ଅନେକ ତଥ୍ୟକୁ ନେଇ ବିଶ୍ଲେଷଣ ଚାଲିଛି ଓ ଏହାରି ଆଧାରରେ ଟୀକା ପ୍ରସ୍ତୁତି ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ହାଇ ଏଣ୍ଡ ହାକାଥନ ବା କମ୍ପ୍ୟୁଟର ଦ୍ୱାରା ବିଶ୍ଲେଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନାକୁ ପ୍ରତିହତ କରିବାକୁ ହେଲେ ଟୀକା ହିଁ ସବୁଠୁ ବଡ ଅସ୍ତ୍ର ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କର ପ୍ରମୁଖ ବୈଜ୍ଞାନିକ ପରାମର୍ଶ ଦାତା କେ ବିଜୟ ରାଘବନ । ଭାରତରେ କରୋନା ଭୂତାଣୁର ମୈାଳିକ ଢାଂଚାରେ ପରିବର୍ତ୍ତନ ଆସି ନାହିଁ ।ଏଣୁ କରୋନା ଟୀକା ନେଇ ଚାଲିଥିବା ଗବେଷଣାରୁ ସକରାତ୍ମ ତଥ୍ୟ ମିଳିବା ଟୀକା ପ୍ରସ୍ତୁତିରେ ସଫଳ ହେବାର ସମ୍ଭାବନା ତିଆରି କରୁଛି ।

ସାଧାରଣତଃ କୈାଣସି ସଂକ୍ରମଣର ଟୀକା ବାହାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ । କିନ୍ତୁ ୨୦୨୧ ମଧ୍ୟ ଭାଗ ସୁଦ୍ଧା କରୋନା ଟୀକା ବାହାର କାରିବା ନେଇ ବିଶ୍ୱର ବୈଜ୍ଞାନିକ ମାନେ ଆଶା ବାନ୍ଧିଛନ୍ତି । ଆଉ ଠିକ ଏତିକି ବେଳେ ଭାରତର ୨୦ଟି ଅନୁଷ୍ଠାନର ଗବେଷଣା ବେଶ ଭଲ ସ୍ଥିତିରେ ରହିଛି । ବିଶ୍ୱରେ କରୋନା ପାଇଁ ଏମ-ଆରଏନଏ ଟୀକା ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ସଫଳତା ପାଇଛି । ୮ଜଣଙ୍କ ଠାରେ ଏହାର ପ୍ରୟୋଗ ପରେ ଆଂଟିବଡି ତିଆରି ହୋଇଥିବା ଦାବି କରାଯାଉଛି ।

ତେବେ ଏହି ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ବି ଆରମ୍ଭ ହେବାକୁ ଯାଉଛି । ଏସବୁ ଭିତରେ ଭାରତୀୟ ଭେଷଜ ଗବେଷଣା ସଂସ୍ଥା ବା ଆଇସିଏମଆର,ଭାରତ ବାଓଟେକ ଇଂଟରନ୍ୟାସନାଲ ଲିମିଟେଡ,ଇଣ୍ଡିଆନ ସେରମ ଇନଷ୍ଟିଚ୍ୟୁଟ,ମାଇ ଲ୍ୟାବ,ଇଣ୍ଡିଆନ ଇମ୍ୟୁନୋଲୋଜିକାଲ ଲିମିଟେଡ ବି କରେନା ଟୀକା ଗବେଷଣା କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । ଏଣୁ କରୋନା ଟୀକା ନେଇ ନୂଆ ଆଶ ତିଆରି ହୋଇଛି ।