ଭିଆଇପିଙ୍କ ଗସ୍ତ ପାଇଁ ବଳିପଡିଲା ୩ ହଜାର ଗଛ । ବଲାଙ୍ଗୀରରେ ମୋଦିଙ୍କ ହେଲପ୍ୟାଡ ନିର୍ମାଣ ଲାଗି ବନୀକରଣ ସଫା, ୧୦ ଲକ୍ଷଙ୍କୁ ଅଧିକ ଟଙ୍କା ବରବାଦ

ଭିଭିଆଇପିଙ୍କ ଗସ୍ତ ପାଇଁ ବଳି ପଡିଲା ୩ହଜାର ଗଛ

159

କନକ ବ୍ୟୁରୋ : ଭିଭିଆଇପିଙ୍କ ଗସ୍ତ ପାଇଁ ବଳି ପଡିଲା ୩ହଜାର ଗଛ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଚଳଚଂଚଳ ହୋଇଛି ବଲାଙ୍ଗୀର । ରେଳ ଷ୍ଟେସନରେ ହେବା ଥିବା କାର୍ଯ୍ୟକ୍ରମ ସ୍ଥଳରେ ଚାଲିଛି ଦିନରାତି କାର୍ଯ୍ୟ । ମୋଦିଙ୍କ ହେଲିକପ୍ଟର ଅବତରଣ ପାଇଁ ଏକ ହେଲିପ୍ୟାଡର ନିର୍ମାଣ ବି ଚାଲିଛି । ତେବେ ଏହି ହେଲିପ୍ୟାଡ ନିର୍ମାଣ ପାଇଁ ସହରୀ ବନୀକରଣ ଯୋଜନାରେ ଷ୍ଟେସନ ପଛପଟେ ଲଗା ଯାଇଥିବା ଗଛଗୁଡିକୁ କାଟି ସଫା କରାଯାଇଥିବା ଅଭିଯୋଗ ହୋଇଛି । ତେବେ କିଏ ଓ କାହା ଅନୁମତିରେ ଗଛ କଟାଯାଇଛି ତାହା ଜଣାପଡିନାହିଁ । ଏହି ଅଭିଯୋଗ ପରେ ବଲାଙ୍ଗୀର ଡିଏଫଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

 

ବଲାଙ୍ଗୀର ଜିଲ୍ଲାରେ ଗତ ୨୦୧୫-୧୬ ଓ ୨୦୧୬-୧୭ ମସିହାରେ ସହରୀ ବନୀକରଣ ଯୋଜନାରେ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ହଜାର ଗଛ ଲଗାଯାଇଥିଲା । ସେଥିମଧ୍ୟରୁ ଷ୍ଟେସନ ପଛପଟେ ୩୫୦୦ଗଛ ଲଗାଯାଇଥିଲା । ଚାରା ରୋପଣ ସମୟରେ ୧୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ନିମ୍ବ, ଶିଶୁ, କରଞ୍ଜ, ଗମ୍ଭାରୀ ଆଜି ଚାରା ରୋପଣ କରାଯାଇଥିଲା । ସେହି ଗଛ ସବୁର ଯତ୍ନ ନେବା ପାଇଁ ସ୍ୱତନ୍ତ୍ର କର୍ମଚାରୀ ମଧ୍ୟ ନିଯୁକ୍ତ କରାଯାଇଥିଲା । କିଛି ଗଛ ଏହାରି ଭିତରେ ୬ରୁ ୮ଫୁଟ ଉଚ୍ଚର ହୋଇ ଯାଇଥିଲା । ତେବେ ମୋଦିଙ୍କ ଗସ୍ତ ପାଇଁ ଗଛ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି ।