ଜୀବନ ନେଲା କଲେଜ୍ ନିର୍ବାଚନ ! ୩ ଦିନ ନିଖୋଜ ପରେ ମିଳିଲା ମୃତ ଦେହ

55

କନକ ବ୍ୟୁରୋ : ନିର୍ବାଚନ ସରିଲା, ଫଳାଫଳ ବି ବାହାରିଲା, ହେଲେ ଛାତ୍ର ନିର୍ବାଚନ ପାଇଁ ଦିନରାତି ଏକ କରିଦେଇଥିବା ପୁଅ ଆଉ ଘରକୁ ଫେରିଲାନି, ବରଂ ଆସିଲା ମୃତ୍ୟୁର ଖବର । ଛାତ୍ର ସଂସଦ ନିର୍ବାଚନରେ ହାରଜିତର ହିସାବ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ଆସିଛି ଛାତ୍ର ରାଜନୀତିର ଏକ ବିଭତ୍ସ ଚିତ୍ର । ୩ ଦିନ ଧରି ନିଖୋଜ ଥିବା, ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର, ଗୋଦାବରୀଶ ପଲାଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଆଉ ପରିବାର ଲୋକ ସିଧାସଳଖ, ମୃତ୍ୟୁ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ଦାୟି କରିଛନ୍ତି ।

କଲେଜ ନିର୍ବାଚନରେ ବଳି ପଡ଼ିଲେ ଛାତ୍ର ! ଅପହରଣ ପରେ କରାଗଲା ନିର୍ମମ ହତ୍ୟା :
ମୃତଦେହ ଉଦ୍ଧାର ହୋଇଥିବା ଘଟଣାସ୍ଥଳର ଚିତ୍ର ବୟାନ କରୁଛି-ପଥରରେ ଛେଛି ନିର୍ମମ ଭାବରେ ଗୋଦାବରିଶଙ୍କ ହତ୍ୟା କରାଯାଇଛି । ପରିବାର ଲୋକଙ୍କ କହିବା ଅନୁସାରେ ବାଣପୁର କଲେଜର ବିଜୟୀ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରୁଥିଲେ ଗୋଦାବରିଶ । ଆଉ ଏଥିରେ ବିବ୍ରତ ହୋଇ ତାଙ୍କୁ ବିରୋଧୀ ଛାତ୍ର ଗୋଷ୍ଠୀ ହତ୍ୟା କରିଥାଇପାରନ୍ତି ।

ଖୋର୍ଦ୍ଧା ବାଲେଡିହ ଗାଁର ଏହି ଘଟଣା ଏବେ ଛିଡ଼ା କରିଛି ଅନେକ ପ୍ରଶ୍ନ ।

– ଗୋଦାବରୀଶ କଲେଜରୁ ଗୋଦାବରୀଶ ପଲାଇ ଉଭାନ ହେବା ପଛରେ କିଏ ?

– ଛାତ୍ର ରାଜନୀତିର ବିରୋଧାଭାଷ ଭିତରେ ବଳି ପଡ଼ିଲେ କି ଗୋଦାବରୀଶ ?

– ଗୋଦାବରୀଶଙ୍କ ମୃତ୍ୟୁ ପାଇଁ ଏବେ କିଏ ରହିବ ଉତ୍ତରଦାୟୀ ?