କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ କଳାହାଣ୍ଡି ରାଜପରିବାର ଗୁଡ଼ିକର ସ୍ୱତନ୍ତ୍ରତା ରହି ଆସିଛି। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଏହାକୁ ଶକ୍ତ ଧକ୍କା ଲାଗିଛି। ୨୦୧୯ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ତିନି ଜଣଯାକ ରାଜପରିବାର ସଦସ୍ୟ ପରାଜିତ ହୋଇଛନ୍ତି। କଳାହାଣ୍ଡି ରାଜପରିବାରର ରାଜ ସ୍ୱର୍ଗତ ପ୍ରତାପ କେଶରୀ ଦେଓ ୨ ଥର ବିଧାୟକ ଏବଂ ୫ ଥର ଲୋକସଭାକୁ ନିର୍ବାଚିତ ହୋଇ ୧୯୮୦ ପର୍ଯ୍ୟନ୍ତ କଳାହାଣ୍ଡିର ପ୍ରତିନିଧିତ୍ୱ କରିଥିଲେ। ସେହିପରି ଉଦିତ ପ୍ରତାପ ଦେଓ ଜୁନାଗଡ ଆସନରୁ ନିର୍ବାଚିତ ହୋଇଥିବା ବେଳେ ସ୍ୱର୍ଗତ ବିକ୍ରମକେଶରୀ ଦେଓ ଲଗାତାର ୩ ଥର ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜପରିବାରର ପଟ୍ଟାଦାର ସ୍ୱର୍ଗତ ବୀରକେଶରୀ ଦେଓ ମଧ୍ୟ ନିର୍ବାଚନରେ ଏକାଧିକ ଥର ବିଜୟ ଲାଭ କରି କଳାହାଣ୍ଡି ଜିଲ୍ଲାର ପ୍ରତିନିଧିତ୍ୱ କରିଥିଲେ। ବିକ୍ରମଙ୍କ ପୁଅ ଅର୍କକେଶରୀ ଦେଓ ମଧ୍ୟ ଗତ ୨୦୧୪ ନିର୍ବାଚନରେ ବିଜେଡି ଟିକଟରୁ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇ କଳାହାଣ୍ଡି ରାଜପରିବାରର ଦବଦବା ଓଡିଶା ରାଜନୀତିରେ ରଖିଥିଲେ। ସେହିପରି ଜୟପାଟଣା ରାଜପରିବାରର ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିରୁ ଲଗାତାର ୫ ଥର ନିର୍ବାଚିତ ହୋଇ ରାଜ୍ୟ ବିଜେଡି ସରକାରରେ ବିଭିନ୍ନ ସମୟରେ ମନ୍ତ୍ରୀ ହେବା ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।
୨୦୧୯ ସାଧାରଣ ନିର୍ବାଚନରେ କଳାହାଣ୍ଡି ରାଜପରିବାରର ୩ ଜଣ ନେତା ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓ ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକଟରୁ ପ୍ରତିଦ୍ୱନ୍ଦ୍ବିତା କରିଥିଲେ ହେଁ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି। ପୁଷ୍ପେନ୍ଦ୍ର ସିଂହଦେଓ କଳାହାଣ୍ଡି ଲୋକସଭା ପାଇଁ ଲଢି ବିଜେପିର ବସନ୍ତ ପଣ୍ଡାଙ୍କ ଠାରୁ ହାରିଛନ୍ତି। ସେହିପରି କର୍ଲାପାଟ ଜମିଦାର ରାଜପରିବାରର ଅନିଲ ସିଂହଦେଓ ଜୁନାଗଡ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକଟରେ ଲଢି ପରାଜିତ ହୋଇଛନ୍ତି। ତେବେ ଆଗାମୀ ଦିନରେ ବି ଓଡ଼ିଶା ରାଜନୀତିରେ କଳାହାଣ୍ଡି ରାଜପରିବାରର ପ୍ରଭାବ ଓ ଭୂମିକା କିପରି ରହିବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।