ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ । ଜାଣନ୍ତୁ ରଥ ଭାଙ୍ଗିବା ପରେ କାଠ ଗୁଡିକୁ କ’ଣ କରାଯାଏ

43

କନକ ବ୍ୟୁରୋ : ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲା ତିନି ରଥ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଧାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ୟ୍ୟ । ଆଜିଠାରୁ ତିନି ରଥ ଭଙ୍ଗା କାର୍ୟ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ନିୟମ ଅନୁଯାୟୀ ଆଜି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା ଯାଇଛି । ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି ।

ଆଜି ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତା ପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି । ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ । ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ । ସେହିପରି ତିନି ରଥ ଭଙ୍ଗା କାମ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ଭୋଇ ସର୍ଦ୍ଧାର । ସେପଟେ ରଥ ଭଙ୍ଗା ଯିବା ପରେ ସିଂହାସନ , ପ୍ରଭା , ନାଟଗୋଡ , ଗୁଜ ଓ ଚକକୁ ନେଇ ଗୁଣ୍ଡିଚା ମନ୍ଦିର ଭିତରେ ରଖାଯିବ । ତାହାକୁ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥାଏ ।

ଅନ୍ୟପଟେ ବଳକା ଭଙ୍ଗା କାଠଗୁଡିକୁ ଦୋଳବେଦୀ କୋଣରେ ରଖିବା ପରେ ତାହା ଚିରଟ କରାଯାଇ ମହାପ୍ରସାଦ ରୋଷେଇ ପାଇଁ ଜାଳେଣୀ ଆକାରରେ ବ୍ୟବହାର କରାଯାଇଥାଏ ବୋଲି କହିଛନ୍ତି ନନ୍ଦିଘୋଷ ରଥ ଭୋଇ ସର୍ଦ୍ଦାର । ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।