ନିର୍ବାଚନ ସରିଲା, ମୁଖିଆଙ୍କ ଚିନ୍ତା ବଢ଼ିଲା ! ରଦ୍ଦ ହୋଇପାରେ ୩ ଦଳର ରାଷ୍ଟ୍ରୀୟ ମାନ୍ୟତା?

377

କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ବି ତିନି ଦଳର ପିଛା ଛାଡୁନି ଟେନସନ୍ । ଏବେ ଅଡୁଆରେ ତିନି ଦଳ । ନିର୍ବାଚନବେଳେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମସି, ଏନସିପି ଏବଂ ସିପିଆଇ ଦଳର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହୋପଇପାରେ ବୋଲି ଅଶଙ୍କା କରାଯାଉଛି । ଏପରିକି ଏହି ୩ଟି ରାଜନୈତିକ ଦଳକୁ ଜାତୀୟ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଆଉ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ମୁତାବକ, ୧୯୬୮ ନିର୍ବାଚନୀ ଦଳୀୟ ଚିହ୍ନ ନିୟମାନୁସାରେ ଯଦି କୌଣସି ରାଜନୈତିକ ଦଳ ୪ ଅଥବା ଏହାଠାରୁ ଅଧିକ ରାଜ୍ୟରେ ଲୋକସଭା ବା ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୬ ପ୍ରତିଶତ ଭୋଟ ହାସଲ କରେ ତେବେ ତାହାକୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ କରାଯିବ। ଏପରିକି ଟିଏମସି, ଏନସିପି ଏବଂ ସିପିଆଇ ଭଳି ତିନି ରାଜନୈତିକ ଦଳ ସାଧାରଣ ନିର୍ବାଚନରେ ୪ଟି ଆସନ ହାସଲ କରିଥିବେ ନଚେତ୍ ଲୋକସଭାରେ ୨ ପ୍ରତିଶତ ଆସନ ଏବଂ ୩ଟି ରାଜ୍ୟରେ ଏମାନଙ୍କ ସଦସ୍ୟ ବିଜୟୀ ହୋଇଥିଲେ ସେମାନଙ୍କ ଦଳର ରାଷ୍ଟ୍ରୀୟ ମାନ୍ୟତା ବଜାୟ ରହିବ ।

ଅନ୍ୟପଟେ ବର୍ତ୍ତମାନ ଟିଏମସି, ବିଜେପି, ବିଏସପି, ସିପିଆଇ, ଜାତୀୟ କଂଗ୍ରେସ, ଏନସିଏଫ ଏବଂ ମେଘାଳୟର ନ୍ୟାସନାଲ ପିପୁଲ୍ସ ପାର୍ଟି ପାଖରେ ରାଷ୍ଟ୍ରୀୟ ଦଳୀୟ ମାନ୍ୟତା ରହିଛି । ତେବେ ସାଧାରଣ ନିର୍ବାଚନ ପରେ ଟିଏମସି, ଏନସିପି ଏବଂ ସିପିଆଇ ଦଳର ପ୍ରଦର୍ଶନ ରିପୋର୍ଟକୁ ତର୍ଜମା କରି ଖୁବ୍ ଶୀଘ୍ର ଏମାନଙ୍କୁ ନୋଟିସ୍ କରିପାରନ୍ତି ନିର୍ବାଚନ ଆୟୋଗ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।