ଅଧୁରା ରହିଲା ଅଙ୍କ, ଆହୁରି ବାକି ରହିଗଲେ ତୃତୀୟ ପର୍ଯ୍ୟାୟର ୩ ଲୋକସଭା ପ୍ରାର୍ଥୀ । କେଉଁଝର, କଟକ ଓ ଢେଙ୍କାନାଳ ପାଇଁ ନବୀନଙ୍କ ଷ୍ଟ୍ରାଟେଜି କଣ ?

480

କନକ ବ୍ୟୁରୋ : ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ୯ ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ଜୋର ଧରିଛି ରାଜନୈତିକ ଚର୍ଚ୍ଚା । ଖାସକରି ବିଜେଡି ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆହୁରି ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେଡି କେନ୍ଦ୍ରାପଡା ଭଳି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ, କେଉଁଝର ଓ ଢେଙ୍କାନାଳ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ନ କରିବା ରାଜନୈତିକ ମହଲରେ ବଡ ସସପେନ୍ସ ଛିଡା କରିଛି ।

ପ୍ରାର୍ଥୀ ଘୋଷଣା ପୂର୍ବରୁ କେନ୍ଦ୍ରାପଡାକୁ ନେଇ ବିଜେଡି ଅଧିକ କନଫ୍ୟୁଜନରେ ପଡିଥିବା ଚର୍ଚ୍ଚା ହେଉଥିଲା । ଏପରିକି କେନ୍ଦ୍ରାପଡାରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ସସପେନ୍ସ ଭାବେ ଉଭା ହୋଇଥିଲା । କିନ୍ତୁ ଅନ୍ୟ ଆସନ ଗୁଡିକୁ ନେଇ ସେଭଳି କୌଣସି ଦ୍ୱନ୍ଦ ରହିନଥିବା ବେଳେ କାହିଁକି ଏହି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ତାହା ସମସ୍ତଙ୍କୁ ହତଚକିତ କରିଛି । ଅବଶ୍ୟ ଏହି ତାଲିକାରେ କଟକ ଭଳି ହାଇପ୍ରୋଫାଇଲ ଆସନ ରହିଛି ସତ କିନ୍ତୁ କଟକରେ ପ୍ରାର୍ଥୀତ୍ୱକୁ ନେଇ ସେଭଳି କୌଣସି କନଫ୍ୟୁଜନ କିମ୍ବା ଚର୍ଚ୍ଚା ହେଉନଥିଲା । ଏହାପରେ ମଧ୍ୟ ତୃତୀୟ ପର୍ଯ୍ୟାୟର ତାଲିକା କାହିଁକି ଅଧାରେ ଅଟକିଗଲା ତାହା ସବୁଠୁ ବଡ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି ।

ତେବେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କଟକରୁ ବିଜେପି ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ଶିବିରରେ ମାନସମନ୍ଥନ ଆରମ୍ଭ ହୋଇଛିି । ଏପରିକି ଦଳ କଟକରୁ ଏବେ ସାଂସଦ ଥିବା ଭର୍ତ୍ତୃହରିଙ୍କୁ ନେଇ ଦ୍ୱନ୍ଦରେ ରହିଛି । ଭର୍ତ୍ତୃହରିଙ୍କୁ ପୁଣିଥରେ ମୈଦାନକୁ ଓହ୍ଲାଇବ ନା ପ୍ରକାଶଙ୍କ ବିରୋଧରେ ନୂଆ ମୁହଁଙ୍କୁ ସାମ୍ନାକୁ ଆଣିବ ତାହାକୁ ନେଇ ବିଜେଡିର ଥିଙ୍କ୍ ଟ୍ୟାଙ୍କ୍ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ କଟକ ଆସନକୁ ନେଇ ବିଜେଡିର ଅଙ୍କ ଛିଣ୍ଡୁନି ବୋଲି ଶୁଣାଯାଉଛି ।

ସେହିଭଳି ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ନିର୍ବାଚନ ଲଢିବାକୁ ମନା କରିବା ପରେ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ କନଫ୍ୟୁଜନରେ ପଡିଛି । ନିର୍ବାଚନର ଦିନ କେଇଟା ପୂର୍ବରୁ ତଥାଗତଙ୍କ ଏଭଳି ନିଷ୍ପତି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣାକୁ ବିଳମ୍ବିତ କରୁଥିବା ଚର୍ଚ୍ଚା ହେଉଛି । ଦଳ ଏଠାରେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି । ଯିଏ ତଥାଗତଙ୍କ ସ୍ଥାନକୁ ପୂରଣ କରିପାରିବ । ଅନ୍ୟପଟେ କେଉଁଝରକୁ ନେଇ ବିଶେଷ କିଛି ଅସୁବିଧା ନଥିଲେ ମଧ୍ୟ ନବୀନ ଏଠାରେ ମହିଳା କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ସାଂସଦ ଥିବା ଶକୁନ୍ତଳା ଲାଗୁରୀଙ୍କ ସ୍ଥାନରେ ଦଳ ଏଠାରେ ନୂଆ ମୁହଁକୁ ସୁଯୋଗ ଦେଇପାରେ । ଯେଉଁଥିପାଇଁ କେଉଁଝର ଅଙ୍କ ଛିଣ୍ଡୁନଥିବା ଶୁଣିବାକୁ ମିଳୁଛି । ଏଠାରେ ଦଳ ଆସ୍କା ଭଳି ପ୍ରାର୍ଥୀ ଘୋଷଣା କରି ବିରୋଧୀଙ୍କୁ ଚକମା ଦେବା ଲକ୍ଷ୍ୟରେ ରହିଛି ।

Comments are closed.