ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବାରୁ ଫୋକସରେ ଶ୍ରୀକ୍ଷେତ୍ର ! ୨୮ରେ ପୁରୀ ଆସୁଛନ୍ତି ଏନଏସଜିର ସ୍ୱତନ୍ତ୍ର ଟିମ୍

36

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଟାର୍ଗେଟରେ ପୁରୀ ଶ୍ରୀମନ୍ଦିର । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ତତ୍ପର ହୋଇଉଠିଛି ଏନଏସଜି । ଆସନ୍ତା ୨୮ ଓ ୨୯ ତାରିଖରେ ଏନଏସଜିରୁ ସ୍ୱତନ୍ତ୍ର ଟିମ ପୁରୀ ଆସୁଛନ୍ତି । କିନ୍ତୁ ତା’ପୂର୍ବରୁ ଆଜି ଏନଏସଜିର ତିନି ଜଣିଆ ଟିମ୍ ଶ୍ରୀମନ୍ଦିର ଚତୁପାଶ୍ୱର୍ର ଅନୁଧ୍ୟାନ କରିବା ସହ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି । ଏହାପୂର୍ବରୁ ଏହି ତିନି ଜଣିଆ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହାର ଅନୁଧ୍ୟାନ କରିଛନ୍ତି ।

ଏନଏସଜିର ଟେରର ଟାସ୍କ ଫୋର୍ସ ଟିମ୍ ଦୁଇ ଦିନ ଧରି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଂଚ କରିବେ ବୋଲି ପୂର୍ବରୁ ପୁରୀ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଥିଲା । ଏନଏସଜି ମୁଖ୍ୟ କାର୍ଯ୍ୟାଳୟରୁ ଅପରେସନ୍ ପୋଲିସ ଆଇଜି ଆର.ପି. କୋଚେଙ୍କୁ ଏ ସଂପର୍କରେ ଚିଠି ମାଧ୍ୟମରେ ଜଣାଯାଇଥିଲା । ଏହି ଚିଠିର ଆଉ ଏକ କପି ପୁରୀ ଜିଲ୍ଳାପାଳଙ୍କୁ ପଠାଯାଇଥିଲା । ପୁରୀ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଦୃଷ୍ଟିରୁ ଏନଏସଜି ପକ୍ଷରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଦକ୍ଷେପ ନିଆଯାଉଛି ।

ଗତମାସ ୧୪ ତାରିଖରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏନଏସଜି କମାଣ୍ଡୋ ମାନେ ବଡ ଧରଣର ମକଡ୍ରିଲ କରିଥିଲେ । ରାଜଧାନୀର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କଲେ କିପରି ଏହାର ମୁକାବିଲା କରାଯିବ ସେ ନେଇ ଅଭ୍ୟାସ କରିଥିଲେ ଏନଏସଜି କମାଣ୍ଡୋ । ସଚିବାଳୟକୁ ଟାର୍ଗେଟ ପ୍ଲେସ ଭାବେ ବଛାଯାଇ ଏନଏସଜି,ସିଆଇଏସ୍ଏଫ ଓ କମିଶନରେଟ ପୁଲିସର ମିଳିତ ଉଦ୍ୟମରେ ମକଡ୍ରିଲ ହୋଇଥିଲା । ପୁଲିସ ଡିଜିଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୨୪ଟି ସ୍ଥାନକୁ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି ।