ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କଲା ମାଙ୍କଡ । ଜଣେ ଶିଶୁ ସମେତ ୩ ଗୁରୁତର ଆହତ

31

ବୋମା ଫୋପାଡିଲା ମାଙ୍କଡ । କଥାଟା ଆପଣଙ୍କୁ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ମାଙ୍କଡ ମଣିଷ ହାତରୁ ନଡିଆ ଓ ଫଳମୂଳ ନେଉଥିବାର ଅନେକ ଘଟଣା ଦେଖିବାକୁ ମିଳିଛି । କିନ୍ତୁ ମାଙ୍କଡ ବୋମା ଫୋପାଡିବା ଘଟଣା ପ୍ରଥମ ଥର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ମାଙ୍କଡ ବୋମା ପକାଇବା ଦ୍ୱାରା ତିନି ଜଣ ଲୋକ ମଧ୍ୟ ଆହତ ମଧ୍ୟ ହୋଇଛନ୍ତି । ମାଙ୍କଡ ମାନେ ବୋମା ଧରି ଏଭଳି ଉତ୍ପାତ କରିଥିଲେ ଯେ, ଲୋକମାନେ ଆତଙ୍କିତ ହୋଇପଡିଥିଲେ ।

ଘଟଣା ଅନୁଯାୟୀ, ଉତ୍ତର ପ୍ରଦେଶର ଫତେହପୁର ଅଞ୍ଚଳରେ ୬୦ ବର୍ଷିୟ ଗୁଲାବ ଗୁପ୍ତ ଏବଂ ତାଙ୍କର ୫ ବର୍ଷିୟ ନାତି ସମ୍ରାଟ୍ ନିଜ ଘର ପାଖରେ ସ୍କୁଲ୍ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ବୋମା ପଡ଼ିଥିଲା। ମାଙ୍କଡ଼ମାନେ ପଲିଥିନ୍ ମୁଣା ପକାଇ ଦେବାରୁ କାନ୍ଥରୁ ଅତଡ଼ା ଖସିବା ପରି ଶବ୍ଦ ହୋଇଥିଲା। ଫଳରେ ସେଠାରେ ସ୍କୁଲ୍ ବସକୁ ଅପେକ୍ଷା କରିଥିବା ଜେଜେ ଓ ନାତି ଏବଂ ଜଣେ ପଥଚାରୀ ସାଙ୍ଘାତିକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେଠାକୁ ଧାଇଁ ଯାଇ ସେ ତିନି ଜଣଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ପରେ ପରେ ସେମାନେ ପୁଲିସରେ ମଧ୍ୟ ଖବର ଦେଇଥିଲେ।

ଫତେହପୁର ଅଞ୍ଚଳରେ ମାଙ୍କଡ ମାନେ କୌଣସି ଏକ ସ୍ଥାନରୁ ଏକ ପ୍ଲାଷ୍ଟିକ ବ୍ୟାଗ ପାଇଥିଲେ । ତେବେ ବ୍ୟାଗ ମଧ୍ୟରେ ସୁତୁଲି ବୋମା ରହିଥିଲା । ଆଉ ମାଙ୍କଡମାନେ ଘର ଉପରେ ଡେଇଁବା ସମୟରେ ପଲିଥିନ ବ୍ୟାଗଟି ତଳେ ପଡି ଯାଇଥିଲା । ଯାହା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହାଦ୍ୱାରା ଜଣେ ଶିଶୁ ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏମାନଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହାପରେ ଅଧିକାରୀ ମାନେ ଏହି ମାଙ୍କଡ ଦଳକୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ଏହି ସୁତୁଲି ବମକୁ କାନ୍ଥ ବୋମା ମଧ୍ୟ କୁହାଯାଇଥାଏ । ଏହା କାନ୍ଥରେ ବାଜିବା କ୍ଷଣି ବିସ୍ଫୋରଣ ହୋଇଥାଏ ।