ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ । ସହର କାନ୍ଥରେ ଥ୍ରିଡ଼ି ପେଣ୍ଟ୍

149

କନକ ବ୍ୟୁରୋ : ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର ।  ଚାରିଆଡେ ଝଲସୁଛି ଭୁବନେଶ୍ୱର । ସବୁ କିଛି ଲାଗୁଛି ନୂଆ ନୂଆ । ସହରର ସୌନ୍ଦର୍ଯ୍ୟକରଣ କାମ ଜୋରସୋର ଚାଲିଛି । ରାଜାଧାନୀର କାନ୍ଥ ଠାରୁ ଆରମ୍ଭ କରି ରାଜରାସ୍ତା ସବୁଆଡ଼େ ଚାଲିଛି କାମ ।

ରଙ୍ଗ ବେରଙ୍ଗର ଚିତ୍ର, ପୁଣି ବିଭିନ୍ନ ଛକରେ ଆକର୍ଷୀୟ ହୋଡିଂ । ବିଶ୍ୱ କପ୍ ହକି ପୂର୍ବରୁ ଯେମିତି ନୂଆ ଜୀବନ ପାଇ ଯାଇଛି ଭୁବନେଶ୍ୱର । ତେବେ ଏଥିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଥ୍ରୀ ଡି ପେଣ୍ଟିଂ । ରାଜଧାନୀରେ ଡେରା ପକାଇଛନ୍ତି ଥ୍ରୀ ଡି ପେଣ୍ଟର ।

ସବୁ ଚକାଚକ୍ । ରାସ୍ତାରୁ କାନ୍ଥ ସବୁ ରଙ୍ଗୀନ । ବିଶ୍ୱକପ୍ ହକି ପାଇଁ ହେଉଥିବା ପ୍ରସ୍ତୁତି ଯେମିତି ଭୁବନେଶ୍ୱରକୁୁ ନୂଆ ରୂପରେ ସଜେଇ ଦେଇଛି । କାନ୍ଥରେ ଆକର୍ଷଣୀୟ ପେଣ୍ଟିଂ । ପୁଣି ରଙ୍ଗୀନ ରାସ୍ତା । ଯେ, କେହି ଦେଖିଲେ, କିଛି କ୍ଷଣ ଅଟକି ଯିବେ ନିଶ୍ଚୟ ।

କାହିଁକି ନା’ ଚିତ୍ରଶିଳ୍ପୀଙ୍କ ଯାଦୁଗରୀ କାନ୍ଥରେ ସ୍ପଷ୍ଟ ଫୁଟି ଉଠୁଛି । ଭୁବନେଶ୍ୱରର ଏହି ନୂଆ ରୂପ ଯୁବପୀଢ଼ିକୁ ବେଶ୍ ଆକର୍ଷିତ କରୁଛି । କେଉଁଠି ବି ଛିଡ଼ା ହୋଇ ସେଲଫି ଉଠାଇବାକୁ ପଛାଉ ନାହାଁନ୍ତି ଯୁବକ-ଯୁବତୀ ।

ବିଦେଶୀ ପର୍ଯ୍ୟଟକ ଏବଂ ଖେଳାଳିଙ୍କୁ ଓଡ଼ିଶାର ସଂସ୍କୃତି ସହ ପରିଚିତ କରିବା ପାଇଁ ହୋଇଛି ଏକ ନିଆରା ପ୍ରୟାସ । ଆଉ ରାସ୍ତା କଡ଼ରେ ହୋଇଥିବା ବେଞ୍ଜରେ ବସି ଏହି ସବୁ କାରୁକାର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ ।

ଏସବୁ ଭିତରେ ବିଶ୍ୱର ବଡ ବଡ ହକି ତାରକାଙ୍କ ହୋଡିଂ । ହକିର ଉତ୍ସାହକୁ ଦ୍ୱିଗୁଣିତ କରିଦେଉଛି । ଯେମିତି ସେହି ଐତିହାସିକ କ୍ରୀଡ଼ା ଇଭେଂଟକୁ ଚାହିଁ ରହିଛନ୍ତି ସମସ୍ତେ ।