ପଛୁଆ ଜିଲ୍ଲାର ଆଗୁଆ ଜିଲ୍ଲାପାଳ : ମୟୁରଭଂଜ, ନବରଙ୍ଗପୁର ଓ ଖୋର୍ଦ୍ଧା କଲେକ୍ଟର ହେଲେ ରାଜ୍ୟର ନମ୍ବର ୱାନ୍

40

କନକ ବ୍ୟୁରୋ : ଶ୍ରେଷ୍ଠ ଜିଲ୍ଲାପାଳଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ । ମୟୁରଭଂଜ ଜିଲ୍ଳାପାଳ ରାଜେଶ ପ୍ରଭାକର ପାଟିଲ ପ୍ରଥମ ହୋଇଛନ୍ତି । ଆମ୍ବ ଓ କାଜୁ ଚାଷୀଭଳି ବିଭିନ୍ନ ଫଳ ଚାଷୀଙ୍କୁ ଏକାଠି କରି ସେ ଗଢ଼ିଛନ୍ତି ଏକ କମ୍ପାନୀ । ମଧ୍ୟସ୍ଥ ବ୍ୟବସ୍ଥା ହଟିବା ସହ ଚାଷୀଙ୍କ ଆୟ ଏବେ ୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ୪୦୦ ଚାଷୀ ଥିବା ବେଳେ ଆଗକୁ ୧୦ ହଜାର ଚାଷୀଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡା । ଅନ୍ଧବିଶ୍ୱାସର ବସବର୍ତୀ ହୋଇ ଶିଶୁଙ୍କୁ ଚେଙ୍କ ଦେଉଥିବା ଦିଶାରୀଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେଇଛନ୍ତି ରଶ୍ମିତା ପଣ୍ଡା । “ଜ୍ୟୋତି’’ ସଚେତନତା ଅଭିଯାନରେ ପାଇଛନ୍ତି ବେଶ୍ ସଫଳତା ।

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତଙ୍କୁ ଚକ୍ଷୁଦାନ ଅଭିଯାନ ଆରମ୍ଭ କରିଛନ୍ତି ଜିଲ୍ଲାପାଳ ନିରଂଜନ ସାହୁ । ଏହି ଅଭିଯାନରେ ୪୫୦୦ ଆଶା କର୍ମୀ, ସ୍କୁଲ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ଦିଆଯାଇଛି । ସେମାନଙ୍କୁ ଏକ କିଟ୍ ଯୋଗାଇ ଦିଆଯାଇଛି । ଫଳରେ ମୋତିଆବିନ୍ଦୁର ଶିକାର ହୋଇଥିବା ଲୋକଙ୍କୁ ତାଙ୍କ ଘର ନିକଟରେ ଚିିହ୍ନଟ କରାଯିବା ସହ ପରବର୍ତୀ ଚିକିତ୍ସା କରାଯାଇପାରୁଛି ।

ଅନ୍ୟପଟେ ସରକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ଶ୍ରେଷ୍ଠ ଜିଲ୍ଲାଗୁଡିକୁ ପୃରସ୍କୃତ କରିବା ପାଇଁ ଘୋଷଣା କରିଛନ୍ତି ନବୀନ । ପକ୍କାଘର ଯୋଜନା, ବିପିଏଲ ବିଦ୍ୟୁତ ଯୋଗାଣ, ଆଦିବାସୀ ବିକାଶ, ନିର୍ମାଣ ଶ୍ରମିକ କଲ୍ୟାଣ, ଦକ୍ଷତା ବିକାଶ ଓ ନିଯୁକ୍ତି, ଏସଏଚଜି ଗ୍ରୁପକୁ ଋଣ ଯୋଗାଣ ଆଦି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।