ଭିଡିଓ ଭାଇରାଲ ହେବା ପରେ ଭାଙ୍ଗିଲା ନିଦ ! ରାଉରକେଲାରେ ମହିଳାଙ୍କୁ ମାଡ ଘଟଣାରେ ୩ ଗିରଫ, ଦୁଷ୍କର୍ମ ଉଦ୍ୟମର ଅଭିଯୋଗ କଲେ ମହିଳା ।

45

କନକ ବ୍ୟୁରୋ : ଇସ୍ପାତ ସହର ରାଉରକେଲାରେ ଘଟିଥିବା ଏକ ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ଅସହାୟ ମହିଳାଙ୍କୁ ୧୦ ରୁ ୧୨ ଜଣ ଯୁବକ ନିର୍ଘାତ ପିଟିଛନ୍ତି । ଆଉ ଏହାପରେ ମହିଳା ଜଣକ ଥାନାକୁ ଯାଇ ପୁଲିସ ବାବୁଙ୍କ ଆଗରେ ମାମଲା ରୁଜୁ ପାଇଁ ଗୁହାରି କରିଛନ୍ତି । କିନ୍ତୁ ପୋଲିସ ବାବୁ ଏଭଳି ଜଣେ ଅସହାୟ ମହିଳାଙ୍କ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି । ପରେ ମାଡ ମାରୁଥିବାର ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାଧାରଣରେ ଚର୍ଚ୍ଚାକୁ ଆସିଛି । ଆଉ ତାପରେ ଯାଇ ପୁଲିସ ବାବୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ନିଜ କୁତ୍ସିତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ ଯେତେବେଳେ ଅକ୍ଷମ ହେଲେ, ଜଣେ ମହିଳାଙ୍କୁ ପିଲା ଚୋରଣୀ ସଜାଇଦେଲେ । ଆଉ ତା’ପରେ ଯାହା ଘଟିଲା ତାହା ଏକ ଅକଥନୀୟ ଅତ୍ୟାଚାର । ହାତଗୋଡ଼ ବାନ୍ଧି ଏମିତି ମାରିଲେ ଯେ, ମହିଳା ଜଣକ ଏବେ ଉଠିବାକୁ ବି ସମର୍ଥ ହେଉ ନାହାଁନ୍ତି । ମାନବିକତାକୁ ଦୋହଲାଇ ଦେଲା ଭଳି ଏହି ଘଟଣା ଘଟିଛି ରାଉରକେଲା ସହରର ଗୋପବନ୍ଧୁପାଲି ଅଂଚଳରେ ।

୧୭ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଦିନ ମଜୁରିଆ ଭାବେ କାମ କରୁଥିବା ଏହି ମହିଳାଙ୍କ ଉପରେ ପଡ଼ିଥିଲା କିଛି ଦୃବୁର୍ତ୍ତଙ୍କ ନଜର । ଏକୁଟିଆ ପାଇ ମହିଳାଙ୍କୁ ଟେକି ନେଇଗଲେ ଏବଂ ଦୁଷ୍କର୍ମ ଉଦ୍ୟମ କରିବାକୁ ମଧ୍ୟ ପଛାଇନଥିଲେ । ହେଲେ ଯେତେବେଳେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇନଥିଲେ, ରାତି ତମାମ୍ ବାନ୍ଧି ରଖି ଏଭଳି ଭାବରେ ନିର୍ଯାତନା ଦେଇଥିଲେ । ଆଉ ଶେଷରେ ଦେଇଦେଲେ ପିଲା ଚୋରଣୀ ଆଖ୍ୟା ।

ଗୋଟିଏ ସପ୍ତାହ ତଳର ଏହି ଘଟଣାକୁ ନେଇ ପୁଲିସର ନିଦ ସେତେବେଳେ ଭାଙ୍ଗିଥିଲା, ଯେତେବେଳେ ପୀଡ଼ିତା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିଛି ସ୍ଥାନୀୟ ଯୁବକ ଘଟଣା ନେଇ ଏସପିଙ୍କ ଦୃଷ୍ଟିକୁ ଆଣିଥିଲେ । ୧୦ରୁ ୧୨ ଜଣ ସଂପୃକ୍ତ ଥିବା ଏହି ଘଟଣାରେ ପୁଲିସ୍ ୩ଜଣଙ୍କୁ ଗିରଫ କରିଛି । ହେଲେ ଏହି ଘଟଣା ପୁଲିସ୍ ଓ ପ୍ରଶାସନର ନିଷ୍କ୍ରିୟତା ନେଇ ଛିଡା ହୋଇଛିି ଅନେକ ପ୍ରଶ୍ନ ?

– ଫାଣ୍ଡିରେ ଅଭିଯୋଗ କରିଥିଲେ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ନେଇନଥିଲା ପୁଲିସ୍ ?

– ଜଣେ ମହିଳାଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ବି କେମିତି ଚୁପ୍ ବସିଥିଲା ପୁଲିସ୍?

-ନିର୍ଯାତନା ଘଟଣାର ଭିଡିଓ ଭାଇରାଲ ହେବାକୁ ଅପେକ୍ଷା କରିଥିଲେ କି ପୁଲିସ ପ୍ରଶାସନ ?

ତେବେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଇଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାଧାରଣରେ ଚର୍ଚ୍ଚାକୁ ଆସିଛି ।