କେବେ ଆସିବ ‘ଅଚ୍ଛେ ଦିନ୍’ ? ପଞ୍ଚମ ଶ୍ରେଣୀ ଯୋଗ୍ୟତା ଥିବା ଚାକିରି ପାଇଁ ୫୦,୦୦୦ସ୍ନାତକ, ୨୮୦୦୦ ସ୍ନାତକୋତ୍ତର ଏବଂ ୩୭୦୦ ପିଏଚଡିଧାରୀଙ୍କ ଆବେଦନ

41

କନକ ବ୍ୟୁରୋ : ଭାରତରେ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି । ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅଧିକାଂଶ ନୂତନ ଉଦ୍ଭାବନ ପଛରେ ଭାରତୀୟଙ୍କ ହାତ ରହୁଛି । ତଥାପି ଆମ ଦେଶକୁ ମିଳୁନି ସମ୍ମାନ । ବାହାର ଦେଶ ଗୁଡ଼ିକ ନେଇ ଯାଉଛନ୍ତି ସମସ୍ତ ଶ୍ରେୟ । ତେବେ ଦେଶର ଏପରି ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ସେପରି କିଛି ଆଖିଦୃଶିଆ ସଫଳତା ମିଳୁନି । ତେବେ ଆଗକୁ ଏପରି ଅସୁବିଧା ନହେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଥିବା କହୁଛନ୍ତି । ୨୦୨୦ ପର୍ୟ୍ୟନ୍ତ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ଭାରତରେ ୧୦ କୋଟିରୁ ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ କୁହାଯାଉଛି । କିନ୍ତୁ ମୋଦି ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି ସତ ହେଲେ ଦେଶରେ ସେପରି ଚାକିରି ସୁଯୋଗ ସୃଷ୍ଟି ହୋଇପାରି ନାହିଁ । ଛୋଟ ମୋଟ ଚାକିରି ପାଇବା ଆଶାରେ ଡିଗ୍ରୀଧାରୀ ମାନେ ଲାଇନ୍ ଲଗାଉଛନ୍ତି । ନିକଟରେ ଏପରି କିଛି ଦେଖିବା ପାଇଁ ମିଳିଛି ।

ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଉତ୍ତରପ୍ରଦେଶରେ ଏକ ପଞ୍ଚମ ଶ୍ରେଣୀ ଯୋଗ୍ୟତା ଥିବା ଚାକିରି ପାଇଁ ବହୁ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚ୍‌ଡି ଧାରୀମାନେ ଆବେଦନ କରିଛନ୍ତି । ଉତ୍ତରପ୍ରଦେଶ ପୁଲିସ୍‌ର ଟେଲିକମ୍‌ ବିଭାଗରେ ମେସେଞ୍ଜର ଚାକିରି ପାଇଁ ବହୁ ଉଚ୍ଚ ଶିକ୍ଷାପ୍ରାପ୍ତ ପ୍ରାର୍ଥୀ ଆବେଦନ କରିବା ଘଟଣା ଏବେ ଆଶ୍ଚର୍ଯ୍ୟର ବିଷୟ ହୋଇଛି । ଜଣାଯାଇଛି ଯେ ୫୦,୦୦୦ରୁ ଊର୍ଦ୍ଧ୍ୱ ସ୍ନାତକ, ୨୮୦୦୦ ସ୍ନାତକୋତ୍ତର ଏବଂ ୩୭୦୦ ପିଏଚ୍‌ଡି ଧାରୀ ଏହି ମେସେଞ୍ଜର ଚାକିରି ପାଇଁ ଆବେଦନ କରିଛନ୍ତି । ୬୨ଟି ପଦ ପାଇଁ ସମୁଦାୟ ୯୩,୦୦୦ ଜଣ ଆବେଦନ କରିଥିବା ଜଣାପଡ଼ିଛି । ତେବେ ସେମାନଙ୍କ ମଧ୍ୟରୁ କେବଳ ୭,୪୦୦ ଜଣ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଛନ୍ତି । ବାକି ସମସ୍ତ ପ୍ରାର୍ଥୀ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି । ଟେଲିକମ୍‌ ବିଭାଗରେ ଏହି ପଦବିଗୁଡ଼ିକ ୧୨ ବର୍ଷ ପରେ ଖାଲି ପଡ଼ିଛି । ତେବେ ଗୋଟିଏ ପଟେ ଚାକିରିର ଅଭାବ ଥିବାବେଳେ ଅନ୍ୟ ପଟେ ସରକାରୀ ଚାକିରି ଏବଂ ଆରମ୍ଭରୁ ୨୦,୦୦୦ ଟଙ୍କା ଦରମା ପାଇବା ଲୋଭରେ ଉଚ୍ଚ ଯୋଗ୍ୟତାସଂପନ୍ନ ପ୍ରାର୍ଥୀ ଆବେଦନ କରିଛନ୍ତି ।