ପୂର୍ବତଟ ରେଳ ଭିତ୍ତିଭୂମି କ୍ଷେତ୍ରରେ ନୂଆ ଅଧ୍ୟାୟ ! ରଥଯାତ୍ରା ପାଇଁ ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ।

79

ପୂର୍ବତଟ ରେଳ ଭିତ୍ତିଭୂମି ସଂରଚନା କ୍ଷେତ୍ରରେ ଯୋଡାହେଲା ଏକ ନୂତନ ଅଧ୍ୟାୟ । ରଥଯାତ୍ରା ପୂର୍ବରୁ ଶୁଭାରମ୍ଭ ହେଲା ନବ ନିର୍ମିତ ଭୁବନେଶ୍ୱର ନିଉ ରେଳ ଷ୍ଟେସନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲୋକାର୍ପିତ ହେଲା ବିଭିନ୍ନ ଲୋକାଭିମୂଖୀ ପ୍ରକଳ୍ପ । ଏହା ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ନୂତନ ଫୁଟ ଓଭରବ୍ରିଜ,ଖୋର୍ଦ୍ଧା ରୋଡ ଠାରେ ନୂତନ ମେମୁ ସେଡ୍ ଏବଂ ବଗଳା ଧର୍ମଶାଳା ଠାରେ ନୂତନ ଟିକଟ କାଉଣ୍ଟରର ମଧ୍ୟ ଶୁଭାରମ୍ଭ ।

ପରୀକ୍ଷମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ୩ଟି ପାସେଞ୍ଜର ଟ୍ରେନ ଯାଆସ କରିବ । ହାଓଡା-ପୁରୀ, ରାଉରକେଲା-ପୁରୀ ଏବଂ କଟକ-ବ୍ରହ୍ମପୁର ମେମୁ ରେଳ ଡେଷ୍ଟିନେସନ ଭୁବନେଶ୍ୱର ନିଉ ରେଳ ଷ୍ଟେସନ ଠାରେ ରହିବ । ଯେଉଁଥି ପାଇଁ ୬ଟି ପ୍ଲାଟଫର୍ମ ସହ ରହଣୀ ବ୍ୟବସ୍ଥା ମଧ୍ୟ କରାଯାଇଛି । ଉତ୍ତରାଞ୍ଚଳର ଜନସାଧରଣଙ୍କ ନିମନ୍ତେ ଏହା ଉତ୍ତମ ସେବା ପ୍ରଦାନ କରିବା ପାଇଁ ସହାୟକ ହେବ । ଭବିଷ୍ୟତରେ କେତେକ ଟ୍ରେନର ଯାତ୍ରା ଆରମ୍ଭ ସହ ଭୁବନେଶ୍ୱର ନୂତନ ରେଳ ଷ୍ଟେସନରୁ ହିଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଯାତ୍ରୀମାନେ କିଭଳି ସୁରକ୍ଷିତଭାବେ ଯାତାୟତ କରିବେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ନୂତନ ଫୁଟ ଓଭରବ୍ରିଜ ମଧ୍ୟ ଲୋକାର୍ପଣ ହୋଇଛି । ୬ମିଟର ଚଉଡା ଏହି ଫୁଟ ଓଭରବ୍ରିଜ ୧୫୦ ଦିନ ମଧ୍ୟରେ ଶେଷ କରାଯାଇଥିବା ଏକ ପ୍ରକାର ରେକର୍ଡ ସୃଷ୍ଟିକାରୀ ପଦକ୍ଷେପ । ଏହି ଫୁଟ ଓଭରବ୍ରିଜ ଭୁବନେଶ୍ୱର ରେଳ ଷ୍ଟେସନର ୬ମିଟର ବିଶିଷ୍ଟ ତୃତୀୟ ଫୁଟ ଓଭର ବ୍ରିଜ ।

କେବଳ ଏତିକି ନୁହେଁ ଖୋର୍ଦ୍ଧା ରୋଡ ଠାରେ ମେମୁ ରେକର ରକ୍ଷଣାବେକ୍ଷଣ ନିମନ୍ତେ ମେମୁ ସେଡର ଶୁଭାରମ୍ଭ କରାଯାଇଛି । ଏହି ଅଞ୍ଚଳରେ ୨ଟି ମେମୁ ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ଅଧିକାରୀ କହିଛନ୍ତି । ପ୍ରଥମଥର ପାଇଁ ମେମୁ ଟ୍ରେନ ଚଳାଚଳ କରିବାକୁ ନିୟମିତ ଯାତ୍ରୀ ପରିବହନ କ୍ଷେତ୍ରରେ ଏହା ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ପୂର୍ବତଟ ରେଳ ଅଧିକାରୀ କହିଛନ୍ତି ।