ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି : ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଚାଲିବ ଭୋଟିଂ

28

କନକ ବ୍ୟୁରୋ : ଆଜି ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଦେବଗଡ଼ ଜିଲ୍ଲାକୁ ବାଦ ଦେଲେ ବାକି ୨୯ଟି ଜିଲ୍ଲାରେ ୧୭୪ଟି ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । ଏହା ପରେ ଭୋଟ ଗଣତି ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ମୋଟ ୧୩ ଶହ ୮୬ଟି ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବାଛିବେ ମତଦାତା । ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମୋଟ ୬୮୯ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି ।

ସେପଟେ ପୋଲସରାର ଜିଲ୍ଲାପରିଷଦ ସଦସ୍ୟଭାବେ ବିଜେଡିର ପ୍ରାର୍ଥୀ ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ମୋଟ ୫୩ ଲକ୍ଷ ୬୨ ହଜାର ୮୧୪ ଭୋଟର ମତଦାନ ପ୍ରକ୍ରିୟାରେ ଭାଗନେବେ । ସେମାନଙ୍କ ପାଇଁ ମୋଟ ୧୮ ହଜାର ୫୮୧ ବୁଥ୍ ପ୍ରସ୍ତୁତ କରାଯାଇଛି । ତେବେ ଆସନ୍ତା ୨୩ ତାରିଖରେ ଆନୁଷ୍ଠାନିକ ଭାବେ ୱାର୍ଡ ମେମ୍ବର, ସରପଂଚ ଓ ସମିତି ସଭ୍ୟ ଏବଂ ୨୫ ତାରିଖରେ ଜିଲ୍ଲା ପରିଷଦ ସଭ୍ୟଙ୍କ ଫଳାଫଳ ଘୋଷଣା କରାଯିବ ।

ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି ଓ ଭିଡିଓଗ୍ରାଫି ମାଧ୍ୟମରେ ସମୁଦାୟ ପ୍ରକ୍ରିୟା ଉପରେ ନଜର ରଖାଯାଉଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୮୮ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ଶେଷ ହୋଇଛି । ଆଗକୁ ଆଉ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି ।

୨୯ଟି ଜିଲ୍ଲାର ୧୭୫ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଆଜି ମତଦାନ ହେଉଛି । ଅନୁଗୁଳ ଜିଲ୍ଲାର ୬ଟି ଜୋନ୍ , ବାଲେଶ୍ୱରର ଜିଲ୍ଲାର ୮ଟି ଓ ବଲାଙ୍ଗୀର ଜିଲ୍ଲାର ୬ଟି ଜୋନରେ ଭୋଟ୍ ଗ୍ରହଣ ହେଉଛି । ସେହିପରି ବରଗଡର ୬ଟି, ଭଦ୍ରକର ୭ଟି, ବୌଦ୍ଧର ୩ଟି ଜୋନରେ ଭୋଟିଂ ଚାଲିଛି । କଟକର ୧୦ଟି, ଢେଙ୍କାନାଳର ୩ଟି, ଗଜପତିକ ୪ଟି ଜୋନ୍, ଗଞ୍ଜାମର ୧୭ଟି ଜୋନରେ ଆଜି ମତଦାନ ହେଉଛି । ଜଗତସିଂହପୁରର ୪ଟି, ଯାଜପୁରର ୬ଟି, ଝାରସୁଗୁଡାର ୩ଟି, କଳାହାଣ୍ଡିର ୯ଟି, କନ୍ଧମାଳର ୩ଟି ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଚାଲିଛି ମତଦାନ ।

ଅନ୍ୟପଟେ କେନ୍ଦ୍ରାପଡାର ୬ଟି, କେନ୍ଦୁଝରର ୮ଟି, ଖୋର୍ଦ୍ଧାର ୬ଟି, କୋରାପୁଟର ୬ଟି, ମାଲକାନଗିରିର ୩ଟି ଜୋନରେ ଏହି ପର୍ଯ୍ୟାୟରେ ମତଦାନ ଚାଲିଛି । ମୟୂରଭଂଜ ଜିଲ୍ଲାର ୧୨ଟି ଜୋନ୍, ନବରଙ୍ଗପୁରର ୫ଟି, ନୟାଗଡର ୪ଟି, ନୂଆପଡା ର ୩ଟି ଜୋନରେ ଭୋଟିଂ ଚାଲିଛି । ପୁରୀରେ ୮ଟି, ରାୟଗଡାରେ ୪ଟି, ସମ୍ବଲପୁରର ୪ଟି, ସୋନପୁରର ୩ଟି ଓ ସୁନ୍ଦରଗଡର ୮ଟି ଜୋନରେ ଆଜି ମତଦାନ ହେଉଛି ।