ଖୁବଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ! ଉପକୃତ ହେବେ ୧୮ ଲକ୍ଷ ହିତାଧିକାରୀ

1,651

କନକ ବ୍ୟୁରୋ : ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା । ଆଉ ଏହି ଯୋଜନା ଅନୁସାରେ ଉପକୃତ ହେବେ ୧୮ ଲକ୍ଷ ହିତାଧିକାରୀ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୁମିହୀନ କୃଷକଙ୍କୁ ଜୀବିକା ସହାୟତା ବାବଦରେ କାଳିଆ ଟଙ୍କା ମିଳିବ । କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି ।

କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା କେବେ ମିଳିବ, ସେନଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଖୁବଶୀଘ୍ର ମିଳିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା । କାଳିଆ ଯୋଜନା ଏକ ଅଭୂତପୂର୍ବ ଯୋଜନା । ରାଜ୍ୟବାସୀ ଏହି ଯୋଜନାକୁ ପସନ୍ଦ କରୁଛନ୍ତି । ଏବଂ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ ସମୟରେ ଯେଉଁ ଅସୁବିଧା ହୋଇଥିଲା, ସେସବୁ ଉପରେ ସୁଧାର କରାଯାଉଛି ବୋଲି ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ।

ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚିସାରିଛି । ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ପହଞ୍ଚିସାରିଛି । ତେବେ କାଳିଆ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର‌୍ୟ୍ୟାଳୟରେ ପ୍ରକାଶ ପାଇଥିଲା । ଏହି ଯୋଜନାରେ ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।