ଦ୍ୱିତୀୟ କୋଣାର୍କ ମନ୍ଦିର ପାଇଁ ପ୍ରତିକୃତି ପ୍ରସ୍ତୁତ କଲେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ! ସାକ୍ଷୀଗୋପାଳରେ ଅଧିଗ୍ରହଣ କଲେ ୬୦ଏକର ଜମି

272

କନକ ବ୍ୟୁରୋ : ଆଖି ଦେଖିବ ଦ୍ୱିତୀୟ କୋଣାର୍କ । ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପୁରୀ କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର ପରି ଅବିକଳ ମନ୍ଦିର ତିଆରି କରିବାକୁ ଅଂଟା ଭିଡିଛନ୍ତି ଏହି ବିଶ୍ୱ ସ୍ତରର ସ୍ଥପତି । ଏପରିକି ଏହାର ଏକ ପ୍ରତିକୃତି ତିଆରି କରି ଓଡିଶା ଶାସନର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାଇ ସାରିଛନ୍ତି । କୋଣାର୍କ ମନ୍ଦିରରେ ତିଆରି କରାଯାଇଥିବା ଚକ ପରି ଦୁଇଟି ଚକ ଓ ବାଡ ୬ ମାସ ମଧ୍ୟରେ ଶେଷ କରିଛନ୍ତି ଏହି ବିଶିଷ୍ଟ ସ୍ଥପତି । ଆଉ ଦ୍ୱିତୀୟ କୋଣାର୍କ ପ୍ରସ୍ତୁତ କରିବା ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଓ ସାତଶଙ୍ଖ ମଝିରେ ୬୦ ଏକର ଜାଗା ନେଇଛନ୍ତି ।

ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ଏହାକୁ ସଂପୂର୍ଣ୍ଣ କରିବାକୁ ଦମ୍ଭୋକ୍ତ କରିଛନ୍ତି ରଘୁନାଥ ମହାପାତ୍ର । ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ସେ ମନ୍ଦିର ତିଆରି କରିଥିବାବେଳେ ଦ୍ୱିତୀୟ କୋଣାର୍କ ମନ୍ଦିର ପ୍ରସ୍ତୁତ କରିବାରେ ସେମାନେ ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁଥିପାଇଁ ପ୍ରାୟ ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ବ୍ୟୟ ଅଟକଳ କରିଛନ୍ତି । ଓଡିଶାର କାରିଗରଙ୍କୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହୋଇଥିବା ନିଖୁଣ କାରୁକାର୍ଯ୍ୟକୁ ମଧ୍ୟ ସେ ଦ୍ୱିତୀୟ କୋଣାର୍କରେ ସ୍ଥାନିତ କରିବେ । ଆଉ ଏଥିପାଇଁ ତାଙ୍କୁ ୮ବର୍ଷ ସମୟ ଲାଗିବ ବୋଲି କହିଛନ୍ତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ।