ଆଜି ଦ୍ୱିତୀୟ ଦିନରେ ବି ଚାଲିଛି ବିଜୁଳି କାଟ : ବକେୟା ବିଲ ଦେଇନଥିବା କଟକର ବିଭିନ୍ନ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରୁଛି ସେସୁ 

242

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଦିନରେ ସେସୁ ପକ୍ଷରୁ ଜାରି ରହିଛି ବିଜୁଳି କାଟ୍ ପ୍ରକ୍ରିୟା । ବକେୟା ବିଦ୍ୟୁତ୍ ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ବିଜୁଳି କାଟୁଛି ସେସୁ । କଟକ ସହରର ମଧୁପାଟଣା, ବାଦାମବାଡି, ଦୋଳମୁଣ୍ଡାଇ, ବକ୍ସିବଜାର ଅଂଚଳରେ ବକେୟା ବିଲ ପୈଠ କରିନଥିବା ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ବିଜୁଳି କାଟ କରିଛି ସେସୁ । ଅନେକ ଉପଭୋକ୍ତା ବକେୟା ବିଲର ୩୦ ପ୍ରତିଶତ ଦେଇ ବାକି ଟଙ୍କା କିସ୍ତିରେ ସୁଝିବାକୁ କହିଥିବାବେଳେ, ସେସୁ ନିଜ ନିଷ୍ପତିରେ ଅଟଳ ରହିଛି ।

ଗତକାଲି ଠାରୁ ବିଭିନ୍ନ ଜିଲ୍ଳାରେ ସେସୁ ପକ୍ଷରୁ ବିଜୁଳି କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସେସୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ୧୫୪୫ ବିଦ୍ୟୁତ ସଂଯୋଗ କଟା ଯାଇଛି । ବକେୟା ବିଲ ବାବଦରେ ଆଦାୟ ହୋଇଛି ୫ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କା । ପୁରୀରେ ସବୁଠୁ ଅଧିକ ବକେୟା ବିଲ ଆଦାୟ ହୋଇଛି । ଖୋର୍ଦ୍ଧା ଗୁରୁଜଙ୍ଗରେ ବିଦ୍ୟୁତ କାଟ ସମୟରେ ସୃଷ୍ଟି ହୋଇଥିଲା ଉତେଜନା । ଲାଇନ କାଟିବା ପାଇଁଁ ଯାଇଥିବା ଅଧିକାରୀଙ୍କ ଗାଡି ଅଟକାଇଥିଲେ ଗାଁଲୋକେ । ଏଠାରେ ୫ ହଜାର ୧୦୦ ଗ୍ରାହକଙ୍କ ଉପରେ ବାକି ରହିଛି ୮୦ କୋଟିରୁ ଅଧିକ ଟଙ୍କା ବିଲ ।

କଟକରେ ବିଦ୍ୟୁତ ବିଲ ବକେୟା ରଖିଥିବା ୪୭ ବାଣିଜ୍ୟିକ ଉପଭୋକ୍ତାଙ୍କର ବିଦ୍ୟୁତ କାଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅଛନ୍ତି ସେସୁ ଟାର୍ଗେଟରେ ସ୍ୱଚ୍ଛଳ ବର୍ଗର ଉପଭୋକ୍ତା, ଯେଉଁମାନେ ଅଧିକ ଟଙ୍କା ବକେୟା ରଖିଛନ୍ତି । ସେମାନଙ୍କ ଘରୁ ବିଜୁଳି ସଂଯୋଗ କାଟିବେ ସେସୁ କର୍ମଚାରୀ ।  ଗୁରୁବାର ୧୪ ହଜାର ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରିଥିବାରୁ ସେସୁ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି ।