ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ : ଇଂରାଜୀ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

30

କନକ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ । ଇଂରାଜୀ ଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୯ଟା ରୁ ୧୧ଟା୩୦ ପର୍ଯ୍ୟନ୍ତ ହେବ ପରୀକ୍ଷା । ୮ଟା୧୫ରେ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲରେ ପ୍ରବେଶ କରିବେ । ୮ଟା ୩୦ରେ ଓଏମଆରସିଟ ଓ ୯ଟା ୪୫ରେ ସଂକ୍ଷିପ୍ତ ଉତ୍ତର ମୂଳକ ଓ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ପତ୍ର ଦିଆଯିବ । ପ୍ରଥମ ଦିନର ପ୍ରଶ୍ନପତ୍ର ଲିକ ନେଇ ଅଭିଯୋଗ ଆସିବା ପରେ ଆଜିର ପରୀକ୍ଷାକୁ ଅତି ସର୍ତକତାର ସହ ପରିଚାଳନା କରିବାକୁ ପଦକ୍ଷେପ ନେଇଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ ପ୍ରଥମ ଦିନର ପରୀକ୍ଷାରେ ମାତୃଭାଷାର ଦୁଇଟି ସେଟର ପ୍ରଶ୍ନ ପତ୍ର ଲିକ ହେବା ନେଇ ଅଭିଯୋଗ ହୋଇଥିଲା । ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖା ଦେଇଥିଲା ବିଭ୍ରାଟ । ହ୍ୱାଟସଆପରେ ଘୁରି ବୁଲିଥିଲା ମାତୃଭାଷାର ପ୍ରଶ୍ନ ପତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଂଚଳରେ ହ୍ୱାଟସଆପରେ ମାତୃଭାଷାର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଥିଲା । ପରୀକ୍ଷାର ଘଂଟାଏ ପୂର୍ବରୁ ଲିକ ହୋଇଥିଲା ପ୍ରଶ୍ନପ୍ରତ୍ର । ତେବେ ଏହାକୁ ଗଣଶିକ୍ଷା ବିଭାଗ ଖଣ୍ଡନ କରିଥିଲା । ଏହି ଘଟଣାକୁ ଖଣ୍ଡନ କଲେ ମଧ୍ୟ ମାଟ୍ରିକ ପରୀକ୍ଷାକୁ ସୁଚାରୂପେ କରିବା ପାଇଁ ସଚିବାଳୟରେ ବସିଥିଲା ଘନଘନ ବୈଠକ ।