ବିସ୍ଥାପିତଙ୍କ ନୂଆ ଠିକଣା ମହାନଦୀ ପଠା ! ୫୦ ବର୍ଷର ଘରକୁ ଭାଙ୍ଗି ଦେଇଛି ପ୍ରଶାସନ, ଆଶା ଆଶଙ୍କାରେ ଜୀବନ

45

କନକ ବ୍ୟୁରୋ : ମହାନଦୀ ବାଲିରେ ଘର କରିଛନ୍ତି ବିସ୍ଥାପିତ । ସହରର ସୌନ୍ଦର୍ଯ୍ୟକରଣ ଓ ସମ୍ବଲପୁର ମହାନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବା ପାଇଁ ୫୦ ବର୍ଷର ଘରକୁ ଭାଙ୍ଗି ଦେଇଛି ପ୍ରଶାସନ । ହେଲେ ଥଇଥାନର କୌଣସି ବ୍ୟବସ୍ଥା କରିନାହିଁ । ଫଳରେ ସମ୍ବଲପୁର ନଇ ମଝିରେ ଅସ୍ଥାୟୀ ଘର କରି ରହିଛନ୍ତି ବିସ୍ଥାପିତ ପରିବାର ।

ବିସ୍ଥାପିତଙ୍କ ନୂଆ ଠିକଣା । ଏଠି ଘର କହିଲେ କେଇ ଖଣ୍ଡ ଆଜବେଷ୍ଟ ସମାହାର । ଦସ୍ତା ଆଜବେଷ୍ଟ କାଂଥକୁ ଆଜବେଷ୍ଟର ଛାତ । ଚଟାଣ କହିଲେ ନଦୀ ପଠା । ବିଜୁଳି ନାହିଁ କି ପାଣି ନାହିଁ । ଏମିତି ତିନି ମାସ ହେଲା ମହାନଦୀ ଗର୍ଭରେ ଘର କରି ରହିଛନ୍ତି ୧୫ ବିସ୍ଥାପିତ ପରିବାର । ସମ୍ବଲପୁରର କଚରୀ ଛକରେ ୫୦ ବର୍ଷ ହେଲା ସରକାରୀ ଜାଗାରେ ଘର କରି ରହୁଥିଲେ । ସମ୍ବଲପୁରରେ ଦ୍ୱିତୀୟ ସେତୁ ନିର୍ମାଣ ଓ ମହାନଦୀର ସୌନ୍ଦର୍ଯ୍ୟକରଣ ପାଇଁ ଏମାନଙ୍କୁ ବିସ୍ଥାପିତ କରିଛି ପ୍ରଶାସନ । ଆଉ ଥଇଥାନ ନକରିବାରୁ ବିସ୍ଥାପିତ ପରିବାର କଚେରୀ ଘାଟରେ ମହାନଦୀ ପଠାରେ ବିପଦପୂର୍ଣ୍ଣ ଘର କରି ରହୁଛନ୍ତି । ଯଦି କୌଣସି ସମୟରେ ମହାନଦୀର ଉପରମୁଣ୍ଡରେ ବର୍ଷା ହୁଏ ଓ ହୀରାକୁଦ ଡ୍ୟାମର ଗେଟ ଖୋଲାଯାଏ ତେବେ ବନ୍ୟାଜଳରେ ଭାସିଯିବାର ଆଶଙ୍କା ରହିଛି ।

ମହାନଦୀ ପଠାରେ ଘର ସମ୍ପର୍କରେ ଜିଲ୍ଲାପାଳ ଅବଗତ ଥିବା ବେଳେ ବିସ୍ଥାପିତଙ୍କୁ ଗାଁକୁ ଫେରିଯିବା ପାଇଁ କୁହାଯାଇଥିବା କହିଛନ୍ତି । ବର୍ଷା ଆଗରୁ ମହାନଦୀ ପଠାରୁ ଘର ଖାଲି କରିବା ପାଇଁ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗୋଟିଏ ପଟେ ବିସ୍ଥାପିତଙ୍କ ଜିଦ୍, ଆଗ ଥଇଥାନ କର, ପରେ ମହାନଦୀ ଗର୍ଭ ଛାଡିବୁ, ଅନ୍ୟପଟେ ପ୍ରଶାସନର ନିର୍ଦ୍ଦେଶ ଗାଁକୁ ଗଲେ ଘର ଡିହ ପଟ୍ଟା ମିଳିବ । ଏହାରି ଭିତରେ ପ୍ରତି ମୂହୁର୍ତରେ ଆଶା ଆଶଙ୍କାରେ ଜୀବନ କାଟୁଛନ୍ତି ବିସ୍ଥାପିତ ପରିବାର ।