ଜୋରଦାର ହେଲା ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ ରାଜନୀତି । ନବୀନଙ୍କ ଚିଠିର କଡା ଜବାବ ରଖିଲେ ଗଡକରୀ, କହିଲେ, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗରୁ ଅନୁମତି ମିଳିଲେ ୭ଦିନ ଭିତରେ ଆରମ୍ଭ ହେବ କାମ

36

କନକ ବ୍ୟୁରୋ: ଜୋରଦାର ହୋଇଛି ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ ରାଜନୀତି । ସେତୁ ନିର୍ମାଣରେ ବିଳମ୍ବ ନେଇ କେନ୍ଦ୍ର ସରକାରଙ୍କ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିର କଡା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ । କହିଛନ୍ତି ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ସେତୁ ନିର୍ମାଣ କାମରେ ବିଳମ୍ବ ହେଉଛି । ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅନୁମତି ମିଳିଲେ ୭ ଦିନ ଭିତରେ କାମ ଆରମ୍ଭ କରାଯିବ ବୋଲି ନବୀନଙ୍କ ଚିଠିର ଉତ୍ତରରେ ଲେଖିଛନ୍ତି ନୀତିନ ଗଡକରୀ ।

ବୈଧାନିକ ଅନୁମତି ମିଳିନଥିବାରୁ କେବଳ ବ୍ରହ୍ମଣୀ ସେତୁ ନୁହେଁ ଆହୁରି ୩ଟି ସେତୁ କାମ ଆଗେଇ ପାରୁନଥିବା ଗଡକରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏନଏଚଆଇ ଯୋଗୁଁ କାମରେ ବିଳମ୍ବ ନେଇ ନବୀନ ଚିଠିରେ ଲେଖିଥିବା ବେଳେ ଏହା କେନ୍ଦ୍ରମନ୍ତ୍ରୀଙ୍କୁ ବିସ୍ମିତ କରିଥିବା କହିଛନ୍ତି । କେନ୍ଦ୍ର ନକଲେ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ସେତୁ ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ, କେନ୍ଦ୍ର ପରିବହନ ମନ୍ତ୍ରୀ ଆଉ ପାଦେ ଆଗେଇ ଯାଇ କହିଛନ୍ତି, ବ୍ରାହ୍ମଣୀ ଉପରେ ଦୁଇ ଲେନ୍ ନୁହେଁ ୬ ଲେନ୍ ବିଶିଷ୍ଟ ସେତୁ ନିର୍ମାଣ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ ରାଜନୀତି ଜୋର ଧରିଛି । ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସେତୁ ପାଇଁ ତତକାଳୀନ ୟୁପିଏ ସରକାର ମଞ୍ଜୁରୀ ଦେଇଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସି ନିର୍ମାଣ ନେଇ ଘୋଷଣା ବି କରିଥିଲେ । କିନ୍ତୁ କାମ ଏବେ ବି ମନ୍ଥର ଗତିରେ ଚାଲିଛିା କାମ ମନ୍ଥର ନେଇ ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ଅସନ୍ତୋଷ ବି ପ୍ରକାଶ କରିସାରିଛନ୍ତି । ଏପରିକି ସୋମବାରଦିନ ସୁନ୍ଦରଗଡ ଜିଲ୍ଲାର କିଛି ସଙ୍ଗଠନ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ- କେନ୍ଦ୍ର ନ କଲେ ରାଜ୍ୟ ସରକାର ନିଜସ୍ୱ ଖର୍ଚରେ ସେତୁ କରିବେ । ଏହା ପରେ ରାଜନୀତି ସରଗରମ ହୋଇଥିଲା ।