ବନ୍ଦୀ ହେଲେ ୫୦ ଛାତ୍ରୀ ! ସ୍କୁଲ୍ ଫିସରେ ବିଳମ୍ବ ହେବାରୁ କୁନି କୁନି ଛାତ୍ରୀଙ୍କୁ ୫ ଘଣ୍ଟା ବନ୍ଦୀ ବନେଇଲା ସ୍କୁଲ । 

48

ଭାରତର ରାଜଧାନୀ ଦିଲ୍ଲୀରୁ ଏକ ଆଚମ୍ବିତ କଲା ଭଳି ଘଟଣା ସାମ୍ମାକୁ ଆସିଛି । ଯେଉଁଥିରେ ଏକ ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାମାନଙ୍କୁ ୫ ଘଣ୍ଟା ଧରି ସ୍କୁଲ କର୍ତ୍ତୃପକ୍ଷ ସ୍କୁଲର ଏକ କୋଠରୀ ଭିତରେ ବନ୍ଦ କରି ରଖିଥିଲେ । ଘଟଣାଟି ଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାବିୟା ଗର୍ଲସ୍ ପବ୍ଲିକ୍ ସ୍କୁଲରେ ଘଟିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ,ଅଭିଭାବକମାନେ ସ୍କୁଲରେ ଫିସ୍ ପଇଠ ନ କରିଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ପିଲାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । କେବଳ ଏତିକି ନୁହଁ ଅଭିଭାବକଙ୍କ କହିବାନୁସାରେ ସକାଳ ୭.୩୦ ରୁ ସ୍କୁଲର ବେସମେଟରେ ବନ୍ଦ କରାଯାଇଥିଲା ଏବଂ ପିଲାଙ୍କୁ ଭୋକରେ ମଧ୍ୟ ରଖାଯାଇଥିଲା । ଛୁଟି ହେବା ପରେ ଯେତେବେଳେ ପିଲାମାନେ ଘରକୁ ଫେରିଲେନି ଅଭିଭାବକ ସ୍କୁଲ୍ ଯାଇ ଘଟଣା ସଂପର୍କରେ ଅବଗତ ହେଲେ ।

ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ : ଏହି ଘଟଣାର ସମ୍ପୁର୍ଣ୍ଣ ରିପୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସଚିବ ଏବଂ ଶିକ୍ଷା ନିର୍ଦ୍ଦେଶକଙ୍କୁ ମାଗିଛନ୍ତି ଏବଂ ସାକ୍ଷାତ କରିବା ପାଇଁ ମଧ୍ୟ ଡଳାଇଛନ୍ତି ।

ତେବେ ଦିଲ୍ଲୀ ପୋଲିସ୍ ଉକ୍ତ ସ୍କୁଲର ଅଧିକାରୀଙ୍କ ଉପରେ ଏଫଆଇଆର କରିଛି । କେଜି ପିଲାଙ୍କୁ ସ୍କୁଲରେ ବନ୍ଦୀ କରିଥିବା ନେଇ ଅଭିଭାବକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । କିଛି ଅଭିଭାବକ ସ୍କୁଲ ଫିସ୍ ପଇଠ କରିବା ମଧ୍ୟ ସ୍ୱୀକାର କରିଛନ୍ତି କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହା ପଇଠ ଖାତାରେ ସବମିଟ୍ କରାଯାଇନାହିଁ ।

ତେବେ ଘଟଣାକୁ ବଢୁଥିବା ଦେଖି ସ୍କୁଲର ପ୍ରିନ୍ସିପାଲ୍ ଏହି ଘଟଣାକୁ ଖଣ୍ଡନ କରିବା ସହ ପିଲାଙ୍କୁ କରିକୁଲାର୍ ଆକ୍ଟିଭିଟି ଶିକ୍ଷା ଦିଆଯାଉଥିବା କଥା କହିଥିଲେ ।