ଗୃହମନ୍ତ୍ରୀଙ୍କ ମିଶନ କାଶ୍ମୀର : ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଅମିତ ଶାହ

62

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ମିଶନ କାଶ୍ମୀର । ୨ଦିନିଆ ଗସ୍ତରେ ଥିବା ଶାହା, କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଆଜି ମଧ୍ୟ ସେ କାଶ୍ମୀରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଗୃହମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କର ଜମ୍ମୁକାଶ୍ମୀରକୁ ଏହା ପ୍ରଥମ ଗସ୍ତ । ସୁରକ୍ଷା ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହା । ଶ୍ରୀନଗରରେ ହେବାକୁ ଥିବା ଏହି ବୈଠକରେ ଅମରନାଥ ଯାତ୍ରାରେ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ତାର ମଧ୍ୟ ସମୀକ୍ଷା କରିଛନ୍ତି ।

ଏହି ଗସ୍ତ ଅବସରରେ ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଏକ ପୃଥକ ବୈଠକ ରଖାଯାଇଛି । ତା’ସହ ଅମିତ ଶାହା ଅମରନାଥ ମନ୍ଦିର ଯିବେ ବୋଲି ସୂଚନା ରହିଛି । ଜୁଲାଇ ୧ରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ଯାଏଁ ଚାଲିବ ଅମରନାଥ ଯାତ୍ରା । ତେବେ ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ହାମଲା ହେବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଓ ପଂଚାୟତ ସଦସ୍ୟଙ୍କୁ ଶାହା, ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଜମ୍ମୁକାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ବି ଭେଟିବେ ଏବଂ ରାଜ୍ୟରେ ବର୍ତମାନର ସ୍ଥିତି ସମ୍ପର୍କରେ ଚର୍ଚ୍ଚା କରିବେ ଗୃହମନ୍ତ୍ରୀ ଅମିତ ଶାହା ।