ଆସନ୍ତା ୨୭ ରାତିରେ ଦୃଶ୍ୟମାନ ହେବ ଦୁଇଟି ମହାଜାଗତିକ ଦୃଶ୍ୟ ! ଦେଖାଯିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ,ପୃଥିବୀର ନିକଟତର ହୋଇ ଚମକିବ ମଙ୍ଗଳଗ୍ରହ ।

119

କନକ ବ୍ୟୁରୋ : ଆସନ୍ତା ୨୭ ତାରିଖରେ ଦୃଶ୍ୟମାନ ହେବ ଦୁଇଟି ମହାଜାଗତିକ ଦୃଶ୍ୟ । ଏହିଦିନ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ । ଏଥିସହ ମଙ୍ଗଳଗ୍ରହ ମଧ୍ୟ ପୃଥିବୀର ଖୁବ ନିକଟକୁ ଆସିବା ସହ ଉଜ୍ୱଳ ଦେଖାଯିବ ।  ରାତି ୧୦ ଟା ୪୪ ମିନିଟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବା ବେଳେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ । ରାତି ୧୧ ଟା ୪୫ ରୁ ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ପ୍ରବେଶ କରିବା ଆରମ୍ଭ କରିବ ।

ଏହି ସମୟରେ ଖାଲି ଆଖିରେ ଗ୍ରହଣ ଦେଖିହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଛାଇ ଧୀରେ ଧୀରେ ଆଗକୁ ବଢି ରାତି ଗୋଟାଏ ସମୟରେ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ଦେବ ।  ସେତେବେଳେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଏହା ରାତି ୨ ଟା ୪୩ ମିନିଟ ସମୟ ଯାଏଁ ଦେଖାଯିବ । ଛାଇ ଧୀରେ ଧୀରେ ଅପସାରିତ ହୋଇ ଭୋର ୩ ଟା ୫୦ ମିନିଟ ସମୟରେ ଚନ୍ଦ୍ର ପୂରା ଛାୟାରୁ ବାହାରିଯିବ । ରାତି ଗୋଟାଏରୁ ୨ ଟା ୪୩ ମିନିଟ ଯାଏଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ । ଏହି ସମୟରେ ଚନ୍ଦ୍ର ଲାଲ ତଥା ନାରଙ୍ଗୀ ରଙ୍ଗର ଦେଖାଯିବ । ଗ୍ରହଣ ଏକ ସାଧାରଣ ମହାଜାଗତିକ ଘଟଣା ହୋଇଥିବା ବେଳେ ଏହାର କୌଣସି ପ୍ରଭାବ ପୃଥ୍ୱୀବି ତଥା ଆମ ଉପରେ ପଡିବ ନାହିଁ ବୋଲି ଡକ୍ଟର ପଟ୍ଟନାୟକ କହିଛନ୍ତି ।