ଦୀପାବଳୀରେ ସାବଧାନ ! ଦୋକାନରେ ମିଳୁଛି ଅପମିଶ୍ରିତ ମିଠା, ୨୮ କ୍ୱିଣ୍ଟାଲର ଭେଜାଲ ମିଠା ଜବତ

ଦୋକାନରୁ ମିଳିଲା ୨୮ କ୍ୱିଣ୍ଟାଲ ଅପମିଶ୍ରିତ ମିଠା

73

ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଉତ୍ତରପ୍ରଦେଶର ମୋରାଦାବାଦ ସହରରେ ଚଢଉ କରାଯାଇ ୨୮ କ୍ୱିଣ୍ଟାଲର ମିଠା ଜବତ କରାଯାଇଛି । ଦୀପାବଳି ପୂର୍ବରୁ ଅପମିଶ୍ରିତ ଖାଦ୍ୟକୁ ରୋକିବା ଲାଗି ବିଭାଗ ପକ୍ଷରୁ ଏପରି ଚଢଉ କରାଯାଉଛି। ଦିଲାରି ପୁଲିସ ଥାନା ଅଞ୍ଚଳରେ ଏହି ଚଢଉ କରାଯାଇଥିଲା। ଏଥିରେ ଜବତ ହୋଇଥିବା ଅପମିଶ୍ରିତ ମିଠାର ମୂଲ୍ୟ ଆନୁମାନିକ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଅଧିକାରୀମାନେ ଉକ୍ତ ମିଠା ଦୋକାନକୁ ମଧ୍ୟ ସିଲ୍ କରିଛନ୍ତି। ଜବତ ସାମଗ୍ରୀକୁ ପରୀକ୍ଷାଗାରକୁ ପଠାଇଥିବା ଜଣାଯାଇଛି।

ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିନୋଦ କୁମାର କହିଛନ୍ତି ଯେ ଦୀପାବଳି ଭଳି ଉତ୍ସବ ଥିବାରୁ କେଉଁଠାରେ ଅପମିଶ୍ରିତ ବା ବିଷାକ୍ତ ମିଠା ବିକ୍ରି ହେଉଥିବ,ତାକୁ ତନଖି କରିବା ଲାଗି ଉତ୍ତରପ୍ରଦେଶ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏହି ଚଢଉ କରାଯାଇଥିଲା। ଦିଲାରିର ଇନ୍ତାଇଜର ଅହମ୍ମଦଙ୍କ ଘରୁ ଏହି ବିପୁଳ ପରିମାଣର ବର୍ଫି ଜବତ ହୋଇଛି। ଏହାଛଡା ତାଙ୍କ ଘରୁ ୨୦ କ୍ୱିଣ୍ଟାଲ ଅପମିଶ୍ରିତ ଦୁଗ୍ଧ କେକ୍ ଓ ୮କ୍ୱିଣ୍ଟାଲ୍ ବର୍ଫି ଜବତ ହୋଇଛି। ଏହା ପୂର୍ବରୁ ତିନି ଦିନ ତଳେ ମଧ୍ୟ ଅନ୍ୟ ଏକ ମିଠା ଦୋକାନରୁ ଛଅ କ୍ୱିଣ୍ଟାଲ ପରିମାଣର ରସଗୋଲା ମଧ୍ୟ ଜବତ ହୋଇଥିଲା। ସେହି ଦୋକାନରୁ ମିଲ୍କ ପାଉଡର ଓ ଅଏଲ୍ ପ୍ୟାକେଟ୍ ମଧ୍ୟ ଜବତ ହୋଇଥିଲା।