କାଲି ଜାମ୍ମୁକାଶ୍ମୀର ଯିବେ ୟୁରୋପୀୟ ସଂଘର ପ୍ରତିନିଧି ଦଳ । ଧାରା ୩୭୦ ହଟିବା ପରେ ପ୍ରଥମ ବିଦେଶୀ ଦଳର ଗସ୍ତ, ଆଜି ମୋଦିଙ୍କୁ ଭେଟି କାଶ୍ମୀର ପ୍ରସଙ୍ଗରେ କଲେ ଚର୍ଚ୍ଚା ।

295

କନକ ବ୍ୟୁରୋ : ଆସନ୍ତାକାଲି ଜାମ୍ମୁକାଶ୍ମୀର ଗସ୍ତ କରିବେ ୟୁରୋପିୟ ସଂଘ ସାଂସଦ । ୨୮ସଦସ୍ୟ ବିଶିଷ୍ଠ ଦଳ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଏନଏସଏ ଡୋଭାଲଙ୍କୁ ଭେଟି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଧାରା ୩୭୦ ହଟିବା ପରେ ପ୍ରଥମ ବିଦେଶୀ ପ୍ରତିନିଧି ମଣ୍ଡଳ ଭାବେ ଏହି ଦଳ ଘାଟି ଗସ୍ତ କରିବେ ।

ପରିସ୍ଥିତି ଦେଖିବେ ବିଦେଶୀ ପ୍ରତିନିଧି । ଧାରା ୩୭୦ ହଟିବା ପରେ ବିଦେଶୀ ପ୍ରତିନିଧିଙ୍କ ପ୍ରଥମ ଗସ୍ତ । ଜାମ୍ମୁକାଶ୍ମୀର ଗସ୍ତ କରିବେ ୟୁରୋପିୟ ସଂଘ ସାଂସଦ । ମଙ୍ଗଳବାର ଦିନ ଜାମ୍ମୁକାଶ୍ମୀର ଗସ୍ତରେ ଯିବେ ୟୁରୋପିୟ ସଂଘର ୨୮ଜଣିଆ ସାଂସଦ ଦଳ । ଅଗଷ୍ଟ ୫ତାରିଖରେ ଘାଟିରୁ ଧାରା ୩୭୦ ଅପସାରଣ ହେବା ପରେ ପ୍ରଥମ ବିଦେଶୀ ପ୍ରନିତିଧି ମଣ୍ଡଳ ଭାବେ ଏହି ଦଳ ଘାଟି ଗସ୍ତ କରିବେ ।

ଜାମ୍ମୁକାଶ୍ମୀରକୁ ଏହା ୟୁରୋପୀୟ ସଂଘ ସାଂସଦଙ୍କ ଅନୌପଚାରିକ ଗସ୍ତ ହେବ ବୋଲି ଜଣାପଡିଛି । ଭାରତ ଗସ୍ତରେ ଥିବା ୟୁରୋପୀୟ ସଂଘର ପ୍ରତିନିଧି ମଣ୍ଡଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟି ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଏହି ସମୟରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ସହ ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗସ୍ତ ସମୟରେ ୟୁରୋପୀୟ ସଂଘ ସାଂସଦ, ଜାମ୍ମୁକାଶ୍ମୀରର ପ୍ରଶାସନିକ ଅଧିକାରୀଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ । ସେପଟେ ଏହି ଗସ୍ତକୁ ନେଇ ଜୋର ଧରିଛି ରାଜନୀତି । ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୟୁରୋପୀୟ ସଂଘ ସାଂସଦଙ୍କ ଏହି ଅନୌପଚାରିକ ଗସ୍ତ ପାଇଁ ବିଦେଶ ମନ୍ତ୍ରାଳୟ ସମସ୍ତ ବ୍ୟବସ୍ଥା କରିବାରେ ସେ ଆଶ୍ଚର୍ଯ୍ୟଚକିତ । ଏହାସହ ଏହି ଗସ୍ତକୁ ବାତିଲ କରିବା ପାଇଁ ସେ ଲେଖିଛନ୍ତି । ଅପରପକ୍ଷରେ ବିଦେଶୀ ପ୍ରତିନିଧି ଦଳକୁ ଜାମ୍ମୁକାଶ୍ମୀର ଯିବାକୁ ଅନୁମତି ଦିଆଯାଉଥିବା ବେଳେ ଦେଶର ରାଜନୈତିକ ଦଳ ସହ ପାତରଅନ୍ତର କରାଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଅଗଷ୍ଟ ୫ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଏଠାରେ ଅନେକ କଟକଣା ଲାଗୁ କରାଯାଇଥିଲା । ଯେପରି ହଜାର ହଜାର ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହ ସ୍ଥାନୀୟ ନେତାଙ୍କୁ ନଜରବନ୍ଦ ରଖାଯାଇଥିଲା । ଏପରିକି ଟେଲିଫୋନ୍ ଓ ଇଂଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଥିଲା । ତେବେ ପରେ ପରେ ପର୍ଯ୍ୟାୟକ୍ରମରେ ଘାଟିରୁ କଟକଣା ହଟାଯାଇଛି ।