ଭାରତରେ କରୋନାର କଳାବାଦଲ ! କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ୨୮ ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ । ବିଦେଶରୁ ଆସୁଥିବା ସମସ୍ତଙ୍କ ଯାତ୍ରୀଙ୍କ ଉପରେ ରହିଛି ନଜର, ତନତନ କରି କରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା ।

560

କନକ ବ୍ୟୁରୋ: କାୟା ମେଲାଉଛି କରୋନା । କରୋନା ଏବେ ସାରା ଦୁନିଆରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । କାରଣ ଏହାକୁ ମାତ୍ ଦେବାପାଇଁ ସ୍ୱତନ୍ତ୍ର ମେଡ଼ିସନ୍ ନାହିଁ । ଯାହା ଏବେ ଲୋକଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ଏହାରି ମଧ୍ୟରେ ଭାରତରେ ୨୫ଜଣଙ୍କ ଦେହରେ କରୋନା ପଜେଟିଭ ମିଳିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କରୋନା ପାଇଁ ଇରାନରେ ଏକ ଲାବୋରେଟୋରି ବନାଇବା ପାଇଁ କହିଛନ୍ତି ହର୍ଷ ବର୍ଦ୍ଧନ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଲ୍ୟାବ୍ ହେବାକୁ ଥିବା ବେଳେ ଏହା ପରେ ଆଉ ୧୯ଟି ଲାବ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା । ଭାରତରେ ୨୫ଜଣଙ୍କ ଦେହରେ କରୋନା ଭୁତାଣୁ ପଜେଟିଭ ଥିବା ଜଣାପଡ଼ିବା ପରେ ତତ୍ପର ହୋଇଉଠିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ଭାରତରେ ଏବେ ୨୫ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସତ୍ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ମୋଟ ୨୮ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୧୨ଜଣ ଭାରତୀୟ ହୋଇଥିବାବଳେ ୧୬ ଜଣ ଇଟାଲୀୟ ନାଗରିକ । କରୋନା ସଂକ୍ରମିତ ୬ଜଣଙ୍କୁ ଦିଲ୍ଲୀ ସଫଦରଗଂଜ ହସ୍ପିଟାଲରେ ଭର୍ତି କରାଯାଇଛି ।

ଇଟାଲୀୟ ନାଗରିକମାନେ ଗତ ମାସରେ ଭାରତକୁ ପର୍ଯ୍ୟଟକ ଭାବେ ବୁଲିବାକୁ ଆସିଥିବାବେଳେ ରାଜସ୍ଥାନ ଜୟପୁରରେ ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହୋଇପଡିଥିଲେ । ଏବଂ ଚିକିିତ୍ସାରୁ ଜଣାପଡିଥିଲେ ଯେ ସେହି ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ ହୋଇଥିଲେ । ତାପରେ ସେହି ଗ୍ରୁପରେ ଥିବା ଅନ୍ୟ ୧୫ ଜଣଙ୍କ ଦେହରୁ କରୋନା ପଜିଟିଭ୍ ବାହାରିଥିଲା । ଏମାନଙ୍କୁ ଆଇଟିପି କ୍ୟାମ୍ପରେ ରଖାଯାଇ ଚିକିିତ୍ସା କରାଯାଉଛି । ତେବେ ପ୍ରଥମେ ଏହି ଭାଇରସରେ ସଂକ୍ରମିତ ହୋଇଥିବା କେରଳ ୩ ଜଣ ସୁସ୍ଥ ହୋଇ ଫେରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ଧିରେ ଧିରେ ୬୦ରୁ ଅଧିକ ଦେଶରେ କାୟା ବିସ୍ତର କଲାଣି । ସେହିପରି ଚୀନରେ ମୃତକଙ୍କ ସଂଖ୍ୟା ୨୯ଶହରୁ ଅଧିକ ଥିବା ବେଳେ ସାରା ଦୁନିଆରେ ୩୧ଶହ ଲୋକଙ୍କର ମୃତ୍ୟୁ ହେଲାଣି । ସେହିପରି ଇରାନ ଓ ଦକ୍ଷୀଣ କୋରିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେହିପରି ଆମେରିକାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ ୨୫ ଜଣଙ୍କ ଦେହରେ କରୋନା ଭୁତାଣୁ ପଜେଟିଭ ଥିବା ଜଣାପଡ଼ିଛି ।