NCPCR ରିପୋର୍ଟ ! ଓଡ଼ିଶାର ୨୮ଟି ସେଲଟର ହୋମରେ ନାହିଁ ସର୍ବନିମ୍ନ ବ୍ୟବସ୍ଥା।

ନ୍ୟାସନଲ କମିଶନ୍ ଫର ପ୍ରୋଟେକସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ତରଫରୁ ଏକ ଟିମ୍ ଓଡ଼ିଶା ଗସ୍ତରେ ଆସ ବିଭିନ୍ନ ସେଲଟର ହୋମ ବୁଲି ଦେଖିଥିଲେ ।

162

କନକ ବ୍ୟୁରୋ: ଓଡ଼ିଶାରେ ସେଲଟର ହୋମ ଘଟଣାର ବିବାଦ ତୁଟି ନଥିବାବେଳେ ସାମ୍ନାକୁ ଆସିଛି ଏନସିପିସିଆର ସାଂଘାତିକ ରିପୋର୍ଟ । ନ୍ୟାସନଲ କମିଶନ୍ ଫର ପ୍ରୋଟେକସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ତରଫରୁ ଏକ ଟିମ୍ ଓଡ଼ିଶା ଗସ୍ତରେ ଆସ ବିଭିନ୍ନ ସେଲଟର ହୋମ ବୁଲି ଦେଖିଥିଲେ । ସେମାନଙ୍କ ରିପୋର୍ଟ ମୁତାବକ ରାଜ୍ୟର ୨୮ଟି ସେଲଟର ହୋମରେ ପିଇବା ପାଣିର ବ୍ୟବସ୍ଥା, ଗ୍ୟାସ ଷ୍ଟୋଭର ବ୍ୟବସ୍ଥା ସତେ ଯେମିତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏପରିକି ପିଲାମାନେ ଅସ୍ୱାସ୍ଥ୍ୟକର ପରିବେଶରେ ବସବାସ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ସେହିଭଳି ଓଡ଼ିଶାର ବିଭିନ୍ନ ସେଲଟର ହୋମରେ ଧର୍ମାନ୍ତରୀକରଣ ଚାଲିଥିବା ନେଇ ଏନ୍ସିପିସିଆର (ନ୍ୟାସନାଲ କମିସନ୍ ଫର୍ ପ୍ରୋଟେକସନ୍ ଅଫ୍ ଚାଇଲ୍ଡ ରାଇଟ୍) ସନ୍ଦେହ କରିଛି। ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କିଛି ସେଲ୍ଟର ହୋମରେ ଏଭଳି ଗତିବିଧି ଅନୁମାନ କରାଯାଇଛି। ରାଜ୍ୟର ୧୯ଟି ଜିଲ୍ଲାର ୫୦ ସେଲଟର ହୋମକୁ ଏନସିପିସିଆର ଗସ୍ତ କରିବା ପରେ କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରାଳୟ ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି।

ସୂଚନା ମୁତାବକ ଗାଇଡଲାଇନ୍ ଅନୁଯାୟୀ ୨୮ଟି ସେଲଟର ହୋମରେ ସର୍ବନିମ୍ନ ବ୍ୟବସ୍ଥା ନାହିଁ। ରାଜ୍ୟ ସରକାରଙ୍କ ମନିଟରିଂ ସଷ୍ଟମ ଠିକ ଭାବରେ କାମ କରୁ ନଥିବା ଏନସିପିସିଆର କହିଛି। ସୂଚନାଯୋଗ୍ୟ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକରି ସେଲଟର ହୋମରେ ନିର୍ଯ୍ୟାତନା ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟରେ ସେଲଟର ହୋମ୍ ଗୁଡ଼ିକ କିପରି ପରିଚାଳିତ ହେଉଛି ସେ ନେଇ ତଦନ୍ତ କରୁଥିଲା ଏନସିପିସିଆର । ଅନ୍ୟପଟେ ଏହି ରିପୋର୍ଟ ସାମ୍ନାକୁ ଆସିବାପରେ ଏବେ ସେଲଟର ହୋମରେ ଥିବା ପିଲାମାନଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ଉଠିଛି ।