ବିନା ଚାଳକରେ ୯୦ କିମି ଗଡିଲା ୨୬୮ଟି ବଗି ଥିବା ଟ୍ରେନ୍ : ରୋକିବା ପାଇଁ ରେଳବାଇ ଆପଣେଇଲା ଏହି ବାଟ

ବିନା ଚାଳକରେ ୯୦କିଲୋମିଟର ପର୍ଯ୍ୟନ୍ତ ଆପେ ଆପେ ଗଡିଲା ଟ୍ରେନ୍

226

ଅଷ୍ଟ୍ରେଲିଆରେ ଏକ ଟ୍ରେନ୍ ବିନା ଚାଳକରେ ୯୦କିଲୋମିଟର ପର୍ଯ୍ୟନ୍ତ ଆପେ ଆପେ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ରେନରେ ୨୬୮ଟି ବଗି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରେନକୁ ଲାଇନଚ୍ୟୁତ କରିବାକୁ ବାଧ୍ୟ ହୋଇଥିଲା ରେଳବାଇ । ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍ ବିନା ଚାଳକରେ ୯୦କିଲୋମିଟର ଯିବା ପରେ ଏହାକୁ ଲାଇନ୍ଚ୍ୟୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଲାଇନଚ୍ୟୁତ କରାଯିବା ପରେ ଟ୍ରେନଟି ଅଟକିଥିଲା । ଲାଇନଚ୍ୟୁତ କରାଯିବା ଫଳରେ ୧.୫ କିଲୋମିଟରର ରେଳ ଧାରଣା ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

ସୂଚନା ମୁତାବକ, ଗାଡ଼ିଟି ଷ୍ଟେସନରେ ରହିବା ପରେ ନିରୀକ୍ଷଣ କରିବା ପାଇଁ ଗାଡ଼ିରୁ ତଳକୁ ଓହ୍ଲାଇଥିଲେ ଚାଳକ । ଏହି ସମୟରେ ଗାଡ଼ିଟି ଆପେ ଆପେ ଗଡ଼ିବାକୁ ଲାଗିଥିଲା । ଗାଡ଼ି ରୋକିବାର ପ୍ରୟାସ କରିବା ପୂର୍ବରୁ ହିଁ ଗାଡ଼ିଟି ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା । ଘଣ୍ଟାଏ ପର୍ଯ୍ୟନ୍ତ ରୋକିବା ପାଇଁ କୌଣସି ଉପାୟ ନ ପାଇ ରେଳବାଇ ଲାଇନଚ୍ୟୁତ କରିବାର ନିଷ୍ପତ୍ତି ନେଇଥିଲେ । ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣାକୁ ଠିକ୍ କରିବା ପାଇଁ ୧୩୦ଜଣ ଶ୍ରମିକ ଲାଗି ପଡ଼ିଥିବା ଜଣାପଡ଼ିଛି । ଖଣି କାରବାର ପାଇଁ ଏହି ରେଳ ଧାରଣାଟି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ଯେତେ ଶୀଘ୍ର ସମ୍ଭବ ଠିକ୍ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି ରେଳବାଇ ।