ପାକିସ୍ତାନରେ ନିର୍ବାଚନ ଲଢିବେ ଆତଙ୍କବାଦୀ ! ରାଜନୀତିକୁ ଓହ୍ଳାଇଲା ମୋଷ୍ଟ ୱାଂଟେଡ ଆତଙ୍କବାଦୀ ହାଫିଜ୍ ସଇଦ

68

କନକ ବ୍ୟୁରୋ: ପାକିସ୍ତାନରେ ନିର୍ବାଚନ ଲଢିବେ ଆତଙ୍କବାଦୀ । ରାଜନୀତିକୁ ଓହ୍ଳାଇଲା ଭାରତର ମୋଷ୍ଟ ୱାଂଟେଡ ତାଲିକାରେ ଥିବା ଆତଙ୍କବାଦୀ ହାଫିଜ୍ ସଇଦ । ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ନୂଆ ରାଜନୈତିକ ଦଳ ଗଠନ କରିଛି ।

‘ଜମାତ-ଉତ-ଦାୱା’ର ମୁଖ୍ୟ ହାଫିଜ୍ ଏହି ରାଜନୈତିକ ଦଳର ନାଁ ‘ମିଲ୍ଲି ମୁସଲିମ ଲିଗ୍’ ରଖିଛି । ‘ଜମାତ-ଉତ-ଦାୱା’ର ସଦସ୍ୟ ସୈଫୁଲ୍ଲା ଖାଲିଦକୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ପାକିସ୍ତାନରେ ବିକାଶ ମୂଳକ କାର୍ଯ୍ୟ କରିବା ସହ ଏକ କଲ୍ୟାଣକାରୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏହି ରାଜନୈତିକ ଦଳର ଗଠନ କରାଯାଇଥିବା ସୈଫୁଲ୍ଲା କହିଛି । ତେବେ ଏହି ଦଳରେ ହାଫିଜ୍ ସଇଦର କଣ ଭୂମିକା ରହିବ ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

୨୦୦୮ରେ ମମ୍ବାଇ ଆକ୍ରମଣ ପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ‘ଜମାତ ଉତ ଦାୱା’ ଉପରେ କଟକଣା ଲଗାଇଥିଲେ । ଏବେ ପାକିସ୍ତାନରେ ନଜରବନ୍ଦ ଅଛି ଆତଙ୍କବାଦୀ ହଫିଜ୍ ସଇଦ । ନିର୍ବାଚନ ଲଢିବା ପାଇଁ ହାଫିଜ୍ ନୂଆ ରାଜନୈତିକ ଦଳ ଗଠନ କରିବା ପରେ ପାକିସ୍ତାନକୁ ପୁଣି ଥରେ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ କ୍ଷତି ସହିବାକୁ ପଡିବ । କଶ୍ମୀରରେ ସକ୍ରୀୟ ଥିବା ଲସ୍କର-ଇ-ତୋଇବାର ସଂଗଠକ ତଥା ୨୦୦୮ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛି ଆତଙ୍କବାଦୀ ହଫିଜ୍ ସଇଦ ।