ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କହିଲେ, ମୁମ୍ବାଇ ଆକ୍ରମଣ ପାଇଁ ପାକିସ୍ତାନରୁ ହୋଇଥିଲା ଷଡଯନ୍ତ୍ର
୨୦୦୮ ମୁମ୍ବାଇ ଆକ୍ରମଣ ଷଡଯନ୍ତ୍ର ପାକିସ୍ତାନରେ ରଚାଯାଇଥିଲା ଓ ଏହା ପଛରେ ଆତଙ୍କବାଦୀ ସଙ୍ଗଠନ ଲସ୍କରର ହାତ ଥିଲା । ପ୍ରଥମ ଥର ପାଇଁ ଏହା ସ୍ୱୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ୱାଂଶିଟନ ପୋଷ୍ଟକୁ ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ଏହା ଆତଙ୍କବାଦୀ ଆକ୍ରମଣ ଘଟଣା । ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ମିଳିବା ଦରକାର । ମାମଲା ସମାଧାନ ଯେତେଶୀଘ୍ର ହେବ ତାହା ତାଙ୍କ ଦେଶ ପାଇଁ ସେତେ ହିତକର ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତମାନ ଏହି ମାମଲାର ତଦନ୍ତ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟରେ କରାଯାଉଛି । ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ମଗାଯାଇଛି । ତାକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ । ୨୦୧୯ ନିର୍ବାଚନ ପରେ ଦୁଇଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଇମ୍ରାନ ଖାନ ଆଶାପ୍ରକାଶ କରିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କ ଅଭୟାରଣ୍ୟ ପାଲଟିଛି ବୋଲି ଆମେରିକା କରିଥିବା ଅଭିଯୋଗକୁ ଇମ୍ରାନ ଖାନ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଆମେରିକା ଏ ବାବଦରେ ପ୍ରମାଣ ଦେବା ଦରକାର ।
ସେପେଟେ ମୁମ୍ବାଇ ଆକ୍ରମଣରେ ଲସ୍କରର ହାତ ଥିବା ଇମ୍ରାନ ଖାନ ସ୍ୱୀକାର କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସେନାମ୍ରୁଖ୍ୟ ବିପିନ ରାୱତ । ସେ କହିଛନ୍ତି, ସାରା ବିଶ୍ୱ ଏ ବାବଦରେ ଜାଣିଛନ୍ତି । ତେଣୁ ଏହି ଆକ୍ରମଣ କିଏ କରିଛି ଓ ଏଥିରେ କାହାର ଭୂମିକା ରହିଛି ସେ ନେଇ ଭାରତ କାହାଠାରୁ ବୟାନ ଦରକାର କରେ ନାହିଁ ।