ପୋଲିସ ବିଭାଗ ପାଇଁ ୨୫ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ! ବଦଳିଯିବ ପୋଲିସ ବିଭାଗର ରୂପରେଖ
କନକ ବ୍ୟୁରୋ : ବଦଳିଯିବ ପୋଲିସ ବିଭାଗର ରୂପରେଖ । ସମୂର୍ଣ୍ଣ ଭାବେ ଆଧୁନିକୀକରଣ କରାଯିବ ପୋଲିସ ବିଭାଗକୁ । ସାରାଦେଶରେ ପୁଲିସ ବାହିନୀର ଆଧୁନିକୀକରଣ ଲାଗି କେନ୍ଦ୍ର ସରକାର ଏକ ବଡ଼ ଧରଣର ସଂସ୍କାର ଯୋଜନା ହାତକୁ ନେଇଛନ୍ତି। ଏଥିଲାଗି ୨୫ ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହି ସୂଚନା ଦେଇ କହିଛନ୍ତି ଯେ ହିଂସା ଦ୍ୱାରା କ୍ଷତିଗ୍ରସ୍ତ ଜମ୍ମୁ-କଶ୍ମୀର, ନକ୍ସଲ କ୍ଷତିଗ୍ରସ୍ତ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ପୁଲିସ ବାହିନୀର ଆଧୁନିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ରାଜ୍ୟମାନଙ୍କରେ ପୁଲିସ ଆଧୁନିକୀକରଣ ଲାଗି ୧୦ ହଜାର ୧୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଧୁନିକ ଅସ୍ତ୍ରଶସ୍ତ୍ର କିଣିବା ସହିତ ପୁଲିସ ଫୋର୍ସ ପରିବହନ ଏବଂ ହେଲିକପଟର ଭଡ଼ା ଲାଗି ଏହି ଅର୍ଥ ଖର୍ଚ କରାଯିବ। ଏହାଛଡ଼ା ପୁଲିସ ଓ୍ଵୟାରଲେସ୍, ସାଟେଲାଇଟ ନେଟଓ୍ଵାର୍କ ଏବଂ କ୍ରିମିନାଲ ଟ୍ରାକିଂ ନେଟଓ୍ଵାର୍କ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମଧ୍ୟ ଉଦ୍ୟମ କରାଯିବ।
ରାଜନାଥ ସିଂହ କହିଛନ୍ତି, ଆଗାମୀ ତିନି ବର୍ଷ ଲାଗି ଯେଉଁ ୨୫ ହଜାର ୬୦ କୋଟି ଟଙ୍କାର ପ୍ୟାକେଜର ଘୋଷଣା କରାଯାଇଛି ସେଥିମଧ୍ୟରୁ ୮୦ ଭାଗ (୧୮ ହଜାର ୬୦୦ କୋଟି ଟଙ୍କା) କେନ୍ଦ୍ର ସରକାର ଦେବେ। ଅବଶିଷ୍ଟ ୨୦ ଭାଗ (୬ ହଜାର ୪୦୦ କୋଟି) ରାଜ୍ୟ ସରକାର ବହନ କରିବେ। ଦେଶରେ ପୁଲିସ ଆଧୁନିକୀକରଣ ଦିଗରେ ଏହା ହେଉଛି ସବୁଠାରୁ ବଡ଼ ପଦକ୍ଷେପ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।
ନକ୍ସଲ ହିଂସାର ଶିକାର ରାଜ୍ୟମାନଙ୍କୁ ଶହେ ପ୍ରତିଶତ କେନ୍ଦ୍ରୀୟ ସହାୟତା ଦେବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ନକ୍ସଲ ହିଂସା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ୩୫ଟି ଜିଲ୍ଳାର ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଦିଆଯିବ ବୋଲି ସେ କହିଛନ୍ତି । ନକ୍ସଲ ପ୍ରଭାବିତ ଅଞ୍ଚଳ ହ୍ରାସ ପାଉଥିଲେ ମଧ୍ୟ ସରକାରୀ ଭାବେ ୭ଟି ରାଜ୍ୟର ଏହି ୩୫ଟି ଜିଲ୍ଲାକୁ ସର୍ବାଧିକ କ୍ଷତିଗ୍ରସ୍ତ ରୂପେ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାର ଦୁଇଟି ଜିଲ୍ଲା ଥିବା ବେଳେ ଝାଡ଼ଖଣ୍ଡର ୧୩, ଛତିଶଗଡ଼ର ୮ ଏବଂ ବିହାରର ୭ଟି ଜିଲ୍ଲା ରହିଛି।