ଲାଲଗଡରେ ସର୍ଜିକାଲ୍ ଷ୍ଟ୍ରାଇକ୍ ! ମାଓବାଦୀଙ୍କ ଉପରେ ପୁଲିସର ସବୁଠାରୁ ବଡ ହମଲା

21

ମାଲକାନଗିରି : ଓଡିଶା ଘେରିଲା, ଆନ୍ଧ୍ର ମାରିଲା । ଅନେକ ବର୍ଷର ବ୍ୟବଧାନ ପରେ ମାଲକାନଗିରିରେ ମାଓ ନିପାତ ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କରିଛନ୍ତି ଅପରେସନ୍ । ଅନେକ ଟପ୍ ମାଓନେତାଙ୍କ ସମତେ ୨୪ଜଣଙ୍କୁ ହତ୍ୟା କରିଛି ପୁଲିସ୍ । ସେପଟେ କାଉଁଟର ଆଟାକରେ ଗ୍ରେହାଉଣ୍ଡର ଜଣେ ଯବାନ ସହିଦ ହୋଇଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ପୁଲିସର ଜାଲରୁ ଖସି ଯାଇଛି କ୍ୟାଡର ମାଓନେତା ରାମକ୍ରିଷ୍ଣା । କୁହାଯାଉଛି ଏହାଥିଲା ଲାଲଗଡରେ ସୁରକ୍ଷା ବାହିନୀର ସର୍ଜିକାଲ ଷ୍ଟ୍ରାଇକ ।

ଠିକ୍ ଫିଲ୍ମ ଷ୍ଟାଇଲରେ ହୋଇଥିଲା ପୁଲିସର ଅପରେସନ୍ । ଓଡିଶା ସ୍ପୋଶାଲ୍ ଅପରେସନ୍ ଗ୍ରୁପର ତଥ୍ୟକୁ ଆଧାର କରି ଆନ୍ଧ୍ରପଟୁ ସଶସ୍ତ୍ର ଗ୍ରେହାଉଣ୍ଡ୍ ଫୋର୍ସ ଆସିଥିଲେ । ଆଉ ଅନ୍ଧାର ରାତିରେ ସଶସ୍ତ୍ର ବାହିନୀ ସଜାଇ ହୋଇଥିଲେ । ଟାର୍ଗେଟ୍ ଥିଲା ରାତି ପାହିଲେ ଟାର୍ଗେଟ୍ କରିବେ ଟପ୍ ମାଓନେତା ତଥା ସେଂଟ୍ରାଲ୍ କୋର୍ କମିଟିର ସଂପାଦକ ରାମକ୍ରିଷ୍ଣାକୁ । ଗୁଇନ୍ଦାର ସୂଚନା ଥିଲା ରାମକ୍ରିଷ୍ଣାର ଅଧ୍ୟକ୍ଷତାରେ ବସୁଛି ବଡଧରଣର ମେଳି । ଆଉ ମେଳିରେ ଯୋଗ ଦେଉଛନ୍ତି ଟପ୍ ମାଓନେତା ।

ଆଉ ପାହାନ୍ତି ପହରରେ ମେଳି ଆରମ୍ଭ ହେବା ବେଳକୁ ସୁରକ୍ଷାବାହିନୀ ରଚି ସାରିଥିଲେ ଚକ୍ରବ୍ୟୁହ । ଆଉ ଭୋର୍ ୫.୩୦ ସମୟରେ ମେଳି ଉପରକୁ ଗୁଳି ଚଳାଇଥିଲା ସୁରକ୍ଷାବାହିନୀ । ଜଣେ ପରେ ଜଣେ ଟଳି ପଡିଥିଲେ ଗ୍ରେହାଉଣ୍ଡ ଓ ଏସଓଜି ଯବାନଙ୍କ ଗୁଳି ମାଡରେ । ଖସି ପାରିନଥିଲେ ସ୍ପେଶାଲ୍ ଜୋନାଲ୍ ବୋର୍ଡର କମିଟି ସଦସ୍ୟ ଉଦୟ ଠାରୁ ଆରମ୍ଭ କରି ରାମକ୍ରିଷ୍ଣାର ପୁଅ ମୁନା ଓରଫ୍ ପୃଥିବୀ ପର୍ଯ୍ୟନ୍ତ । ହେଲେ ଅତି ଚତୁରାତାର ସହ ଖସି ଯିବାକୁ ସଫଳ ହୋଇଛି ଟପ୍ ମାଓନେତା ରାମକ୍ରିଷ୍ଣା ।

ତେବେ ମାଓବାଦୀଙ୍କ ସହ ଏନକାଉଂଟରରେ ଜଣେ ଯବାନ୍ ସହିଦ୍ ହୋଇଛନ୍ତି । ଆନ୍ଧ୍ର ଗ୍ରେ ହାଉଣ୍ଡର ଏହି ଯବାନ ଜଣକ ହେଉଛନ୍ତି ମହମ୍ମଦ ଅବୁ ବକର । ପଣସପୁଟ ଜଙ୍ଗଲରେ ଏନକାଉଂଟର ବେଳେ ମାଓବାଦୀଙ୍କ ଗୁଳିର ଶିକାର ହୋଇଥିଲେ ଅବୁ । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ମାଓବାଦୀଙ୍କ ଗୁଳିରେ ଆଉ ଜଣେ ଯବାନ ଆହତ ହୋଇଛନ୍ତି ।